ଲୁହ ଓ ଓଠର ନିବିଡ଼ତା
ଲୁହ ଓ ଓଠର ନିବିଡ଼ତା
ସମୟର ଫର୍ଦ୍ଦରେ
ଆଚ୍ଛାଦିତ ଏ ଜୀବନ ଉପନ୍ୟାସ
ଆଉ ସେ ଉପନ୍ୟାସକୁ ତନ୍ନ ତନ୍ନ କରି
ଓଲଟାଇ କିଛି ଖୋଜି ଚାଲୁଥିଲି ମୁଁ
ଭାବୁଥିଲି କେଉଁ ପୃଷ୍ଠାରେ ମିଳିଯିବ
ଦି ଅସରା ହସ
ଯାହା ଓଦା କରିଦେବ ଏ ଓଠକୁ ।
ଆଉ ଏ ହସ କାଙ୍ଗାଳି ଓଠଟା
ଭିନ୍ନ ଏକ ସ୍ଵାଦରେ
ଉଦ୍ବେଳିତ ହୋଇଯିବ ।
ଯାହା ସବୁ ବେଳେ ଲୁହର
ଆସ୍ଵାଦନରେ ତୋଷି ହୋଇ ରହିଛି ।
ଆଉ ଲୁହ ବି ଯେମିତି ଖିଙ୍କାରି
କହି ଉଠୁଥିଲା ମୋ ବିନା
ହସର ଅସ୍ତିତ୍ଵ ଖୋଜିବା ନିରର୍ଥ ।
ମୁଁ ଆମୋଦରେ ଆସେ
ବେଦନାରେ ଆସେ ।
ମୁଁ ଜନ୍ମ ସମୟରେ ଆସେ
ଆଉ ମୃତ୍ୟୁ ସମୟରେ ଆସେ ।
ମୁଁ ଏକାନ୍ତରେ ଆସେ
ମୁଁ ହସ ସହିତ ବି ଆସେ ।
ଲୁହ ଈର୍ଷା କରୁଥିଲା
କି ଡରୁଥିଲା କେଜାଣି
କାଳେ ଏ ଓଠ ହସର ପରଶରେ
ତା'କୁ ଭୁଲିଯିବ ଆଉ ଏ
ନିବିଡ଼ତା କାଳେ ସମୟର
କରାଳ ଗର୍ଭରେ ଲୁଚିଯିବ ।
