ଲାଣ୍ଡି ମାତା
ଲାଣ୍ଡି ମାତା
ଅନେକ ଦିନ ତଳର ଅଟେ ବଡ଼ ଠାକୁର କଥା
ଭକତ ଆଉ ଭଗବାନଙ୍କ ଏ ପରା ଲୀଳା ଗାଥା
ଛପନ ଭୋଗି ଷାଠିଏ ପୌଟି ଛାମୁଙ୍କ ନିତି ସାଇତା
ମିଷ୍ଟାନ୍ନ ଭୋଗ ଲାଗଇ ନିତି ଦେଖନ୍ତି ଲାଣ୍ଡି ମାତା ।
ନିତ୍ୟ ଦର୍ଶନ କରନ୍ତି ଆସି ଗରୁଡ଼ ପଛେ ରହି
ଭାବନ୍ତି ମୋର କାଳିଆ ସୁନା ନିତି ତାକୁ ଭୁଞ୍ଜଇ
ମାତୃ ସୁଲଭ ଚିତ୍ତ ତାଙ୍କର ବିଳାପ କରୁଥାଇ
ପେଟ ମୋଡୁଥିବ ପୁତ୍ରର ମୋର କହି ତ ନ ପାରଇ ।
ପଣ୍ଡାଏ ସିନା ଖଞ୍ଜି ଦିଅନ୍ତି ପର କଥା ଭାବନ୍ତି ନାହିଁ
ଯନ୍ତ୍ରଣା ସହୁଅଛି ମୋ କାହ୍ନୂ ମୁହଁରେ ହସ ଫୁଟାଇ
ସ୍ଵାସ୍ଥ୍ୟର ଚିନ୍ତା କରନ୍ତି ଲାଣ୍ଡି ମାତା ଦୂରରେ ରହି
ମନେ ମନେ ଏଥକୁ ଉପାୟ କ'ଣ ଚିନ୍ତା କରଇ ।
ଅନ୍ତରେ ଥାଇ କହିଲେ ପୁତ୍ର ଆଣିବି ପିତା ଭୋଗ
ଖାଇଲେ କଷ୍ଟ ହୋଇବ ଦୂର ତୋହର ସେହି ରୋଗ
ତହିଁ ପରଠୁ ନିତ୍ୟ ରାତ୍ରରେ ଆଣିଲେ ପିତା ଭୋଗ
ଗରୁଡ଼ ପାଶେ ନୈବେଦ୍ୟ ଦେଇ ବାଢ଼ନ୍ତି ନିତ୍ୟ ଅର୍ଘ୍ୟ ।
ଦିନେକ ଏକ ଦାରୁକା ବାବୁ ଦେଖିଲା ଅଣ୍ଟି ବୁଢୀର
କିସ ଲୁଚାଇ ସନ୍ତର୍ପଣରେ ଯାଅ ନିତ୍ୟ ଶ୍ରୀମନ୍ଦିର
ପିତା ଭୋଗ ମୁଁ ନେଉଛି ବାବୁ କାଳିଆ ପାଇଁ ମୋର
ଦେଲା ଧକାଏ ଦାରୁକା ବୁଢ଼ୀ ମୁର୍ଛା ହୋଇଲା ଶରୀର ।
କିଛି କ୍ଷଣ ଉତ୍ତାରୁ ଉଠିଣ ଧାଇଁଲା ପୁଣି ମନ୍ଦିର
ଘଉଡ଼ାଇ ଦେଲା ଅପମାନ କଲା ବାହୁଡିଲା ବୁଢ଼ୀ ଘର
ବିକଳ ହୋଇ କାନ୍ଦିଲା ବୁଢ଼ୀ ଭୋ ଭୋ ଉଚ୍ଚ ସ୍ଵର
ପେଟ ମୋଡୁଥିବ ଯନ୍ତ୍ରଣାରେ ଆଜି କାନ୍ଦିବ କାଳିଆ ମୋର ।
ମାଆର ମନ ପୁଅ ପାଖରେ ଜାଣିଲା କାଳିଆ ଧନ
ସ୍ଵପ୍ନାଦେଶ ହେଲା ଗଜପତିଙ୍କୁ ସେହି ରାତ୍ରରେ ପୁଣ
ପ୍ରଭାତେ ଗଜପତି ଯେ ଉଭା ମାତାଙ୍କ ଦ୍ବାରେ ପୁଣ
ପିତା ଭୋଗ ଯେ ଦିଅ ମାଆ ନିତି କହିଲେ କଣ୍ଠ କରୁଣ ।
ସେଦିନୁ ଦକ୍ଷିଣ ଦ୍ବାରେ ହେଲା ମଠ ଲାଣ୍ଡି ମାତାଙ୍କର
ନିତ୍ୟ ପ୍ରଭୁଙ୍କୁ ଅର୍ପିତ ହେଲା ପିତା ଭୋଗ ତାଙ୍କର
ଭକତ ଭଗବାନଙ୍କ ଲୀଳା ସଂରଚନା ଅପାର
ଭକତ ପାଇଁ ଯୁଗେ ଯୁଗେ ଉଦାହରଣ ଅନେକଙ୍କର ।