କୁମ୍ଭୀର କନ୍ୟା ଓ ପ୍ରେମିକା
କୁମ୍ଭୀର କନ୍ୟା ଓ ପ୍ରେମିକା
ପୋଖରୀ ତଟରେ କୁମ୍ଭୀର
ପିଠିରେ ଫୁଟିଛି ପଦ୍ମଫୁଲ
ହାତ ବଢାଇଲେ ଘୁଞ୍ଚି ଘୁଞ୍ଚି
ଯାଉଛି ଗଭୀରତମ ପାଣିକୁ।
ପଦ୍ମରାଗରେ ଆସକ୍ତ ମୋ
ପ୍ରିୟା ରାଣ ଦେଇଛି ତୋଳି
ଆଣିବାକୁ ସେ ଦିବ୍ୟ ଫୁଲ।
ଜାଣେନି ଶିକାର କରିବାକୁ
ଭୋକିଲା କୁମ୍ଭୀର କେମିତି
ବିଛାଇ ରଖିଛି ମାୟାଜାଲ।
ପଦ୍ମଗନ୍ଧରେ ସଦା ବିଭୋର
ମୋ ପ୍ରିୟା, ଅବୁଝା ନାୟିକା
ମନହେଲେ କହେ ଆଙ୍କିଦିଅ
ମୋ ଆଖିରେ କଜ୍ଜ୍ୱଳରେଖା,
ଅଧରରେ ବୋଳି ଦିଅ ଗାଢ
ପଦ୍ମରାଗ ରଙ୍ଗ, ଗଭାରେ
ଖୋସିଦିଅ ଦିବ୍ୟ ପଦ୍ମଫୁଲ।
ସ୍ନେହରେ କୋଳେଇ ନିଅନା
ପରମତୃପ୍ତିରେ ମନ ହଜିଯିବ।
ସାଜନି ଜମା ପାଗଳ ଭଅଁର
ଏକା ଯାଅନି ଫୁଲ ବଗିଚାକୁ।
ତୁମେ ମୋର, କେବଳ ମୋର।
ଜାଣେ, ମୋ ପ୍ରିୟା ପଦ୍ମଗନ୍ଧା
ପଦ୍ମିନୀଜାତୀୟ ସୁଶୀଳ କନ୍ୟା।
ପଦ୍ମଫୁଲରେ ବଳାଏ ଶରଧା
ଅନେକରେ ସେ ଏକ, ନିଆରା।
ହସରୁ ଝରେ ନିର୍ମଳ ଆନନ୍ଦ,
କଥାରେ ମଧୁର ମାଦକତା ।
ଆଖି ପଲକରେ ଆକର୍ଷିତ
କରି ପରକୁ କରେ ଆପଣା।
କୁମ୍ଭୀର କି ବୁଝେ ପ୍ରେମର
ଭାଷା, ତାକୁ ମିଠା ଲାଗେ
ମଣିଷ କଲିଜା। ଶିକାର ଲାଗି
ପିଠିରେ ପଦ୍କଫୁଲ ଖୋସି
ପାଣିରେ ବୁଡି ପହଁରୁଥାଏ।
ସେଦିନ ମୋ ହାତପାଦ ଛନ୍ଦି
ଟାଣି ନେଇଥିଲା ପାଣି ତଳ
ଗୁପ୍ତ ନଅର ବନ୍ଦୀଗୃହକୁ।
ଭୋଜନ ଲାଗି ଦାନ୍ତ ପଜାଇ
ଯାଇଥିବା ବେଳେ ମୋତେ
ଦେଖି ତା' ଦୟାବତୀ କନ୍ୟା
ପଚାରି ସବୁକଥା ଶୁଣିଥିଲା।
ମୁକ୍ତକରି ବନ୍ଦୀଘରୁ କହିଥିଲା
'ଚାଲିଯାଅ ପଦ୍ମଫୁଲ ଘେନି
ମା' ଫେରି ଆସିବା ଆଗରୁ।'
କୁମ୍ଭୀର କନ୍ୟାକୁ କୃତଜ୍ଞତା ଓ
ସ୍ନେହ ଜଣାଇ ଫେରି ଆସିଲି
ପଦ୍ମଫୁଲ ଧରି ପ୍ରେମିକା ପାଖକୁ।
କୁମ୍ଭୀର କନ୍ୟା ପ୍ରତି ଶ୍ରଦ୍ଧାଭାବ
କଥା ଶୁଣି ରୁଷି ଯାଇଥିଲା ମୋ
ପ୍ରିୟା। ପରେ ମନକୁ ବୁଝାଇ
କହିଥିଲା, 'ପାରୁଛ ଯଦି ଯାଅ
ଥରଟିଏ ଭେଟି ଆସିବ ନୂଆ
ପ୍ରେମିକା କୁମ୍ଭୀର କନ୍ୟାକୁ।'
ଧାଇଁଯାଇଥିଲି ପୋଖରୀ କୂଳକୁ।
ସେଠି କିଛି ବି ଚିହ୍ନବର୍ଣ୍ଣ ନ ଥିଲା,
ନା ପୋଖରୀ ନା କୁମ୍ଭୀରକନ୍ୟା ।
କିମ୍ବଦନ୍ତୀ ରୂପକଳ୍ପ ହଜିଯାଇଥିଲା।
ପୋଖରୀ ଜାଗାରେ ଗଢିଉଠିଥିଲା
ସଭ୍ୟ ମଣିଷର ବିଳାସପୂର୍ଣ୍ଣ ଘର।
ଜ୍ଞାତ ନ ଥିଲା କେମିତି ବଦଳିଗଲା
ରାତାରାତି ବାସ୍ତବବାଦୀ ଦୁନିଆ !!
ସରି ନ ଥିଲା ନୂଆଯୁଗ କାହାଣୀ
କେତେବେଳୁ ଯେ ଶୋଇଗଲାଣି
ପ୍ରାଣପ୍ରିୟା ନିଦରେ ମୋ ଦେହେ
ନେସି ହୋଇ ଜଣା ଵି ନ ଥିଲା !
ମୋତେ ଭାରି ଅସ୍ପଷ୍ଟ ଦିଶୁଥିଲା
ଦୂର ଅତୀତର ହଜିଲା ରୂପକଳ୍ପ
ଗାଁ ମୁଣ୍ଡ ପୁରୁଣା ପଦ୍ମପୋଖରୀ,
କଳା ଭଅଁର ରଂଗର ପାଣି ତଳେ
କୁମ୍ଭୀର କନ୍ୟାର ଗୁପ୍ତ ଉଅଁ।ସ !!
*******