ଶ୍ରାବଣେ ଶ୍ରାବଣୀ
ଶ୍ରାବଣେ ଶ୍ରାବଣୀ
ଶ୍ରାବଣେ ଅମ୍ବର ଶୁଭ୍ର ମେଘମାଳେ
ସତେ କି ବରଫାବୃତ,
ଧରଣୀ କୋଳରେ ମାଟିର ସୁରଭି
ମନ କରେ ଆଚମ୍ବିତ ।
ନୀଳ ଆକାଶକୁ ସଜାନ୍ତି ଯେପରି
ଧଳାମେଘ ଖଣ୍ଡ ଖଣ୍ଡ,
ଦର୍ଶକ ବିଚାରେ ରୋଷଣୀ ସାଜୁଛି
ସାକ୍ଷୀ ଏ ବିଶ୍ବ ବ୍ରହ୍ମାଣ୍ଡ ।
ଧରାରେ ଉଲ୍ଲାସ ଶ୍ରାବଣ ପରଶ
ଖେଲେ ଆନନ୍ଦର ଛାୟା ,
ଲାଗେ ଯେ ପିୟୁଷ ମେଘବାରି ରସ
ପିଅନ୍ତି ବିସ୍ତାରି କାୟା ।
ଶ୍ରାବଣ ଆକାଶେ ବାଦଲ ପରଶେ
ବର୍ଷା ପଡେ ଯେବେ ଝରି,
ଚଷା ନାଚେ ମନେ ମୟୂର ପର୍ବତେ
ସପୁଚ୍ଛେ ମନକୁ ଭରି ।
ଗିରିଏ କମ୍ପନ୍ତି ମୟୁର ନୃତ୍ୟରେ
ଝୁମଇ ମୟୂରୀ ରାଣୀ,
ଭୟରେ ଭୁଜଙ୍ଗ ପୁଲକିତ ବେଙ୍ଗ
ସାଥିରେ ବେଙ୍ଗୁଲୀ ନାନୀ ।
ନାୟିକା ସାଜଇ ମନର ମାନସୀ
ଡ଼େଉଁଥିବ ବାଆଁ ଆଖି ,
ଆସିବ ତାହାର ମନର ଅଳି ଯେ
ଲାଖି ରଖିଥାଏ ଆଖି ।
ଚଞ୍ଚଳ ନୟନେ ଦେଖେ ଦୂରାନ୍ତରେ
ହସ୍ତରେ କମଳ କଳି,
ସମ୍ବର୍ଦ୍ଧନା ପାଇଁ ମନ ଅଗଣାରେ
ଜାଳେ କୋଟିଏ ଦିପାଲୀ ।
ଦେଖିବ ମୁଂଚିବ ବିରହ ବେଦନା
ହସ ହସ କଥା କହି,
ଆନନ୍ଦ ଉଲ୍ଲାସ କେତେ ମଧୁସ୍ପର୍ଶ
ବିରହ ନିଆଁକୁ ଧୋଇ ।