ପ୍ରଣୟ ମୂର୍ଚ୍ଛନା
ପ୍ରଣୟ ମୂର୍ଚ୍ଛନା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
କହିବାକୁ କଥା ବହଳ ବହଳ
ସମ୍ମୁଖ ସାକ୍ଷାତେ
କହୁ କହୁ ଭୁଲିଯାଏ ।
ତୁମ ଚାହାଣିର ନମ୍ର ଇସାରାରେ
ମୋ' ମନ ଆଇନା
ପ୍ରତିବିମ୍ବ ରୂପ ନିଏ !!
ପ୍ରତିବିମ୍ବ ତା'ର ଦ୍ଵାପର ଯୁଗର
କଦମ୍ବ କୁଞ୍ଜରେ
ଉଛୁଳା ଯମୁନା ପରି ।
ମୃଦୁ ମୂର୍ଚ୍ଛନାରେ ଝୁରିହୁଏ ସିନା
ଝାପ୍ସା ଝାପ୍ସା ହୋଇ
କ୍ଷଣେ ଯାଏ ଅପସରି ।।
ସାବିତ୍ରୀମାନଙ୍କ ବ୍ରତ ଉପବାସ
ପୁରାଣ ବର୍ଣ୍ଣିତ,
ସତ୍ୟବାନ ସତ୍ୟନିଷ୍ଠ ।
ଭାବେ ମୁଁ ଏସବୁ ପରମ୍ପରା ସିନା
ନିଜସ୍ୱ ନିଷ୍ଠାରେ
ସତ୍ୟପ୍ରେମ ଏକନିଷ୍ଠ ।।
ସାମ୍ପ୍ରତିକ ସଭ୍ୟ ପ୍ରେମର ରାଗିଣୀ
ଅପାରମ୍ପରିକ
ସଭ୍ୟତାର ଅପଚୟ ।
ଯୁଗ ଅନୁଯାୟୀ ସଦା କାଳଜୟୀ
ହେବାକୁ ଚାହିଁ ବି
ହୋଇଥାଏ ନିରାଶ୍ରୟ ।।
ପ୍ରଣୟରେ ଯେବେ ଆକର୍ଷଣ ଆସେ
ଆତ୍ମମୂଖୀ ହୋଇ
ଆତ୍ମୀୟ ଆତ୍ମୀୟ ବାସେ ।
ମାନସିକତାର ମଧୁରତା ନେଇ
ମାଧୁରିମା ପଣେ
ମଧୁ ସମ୍ପର୍କରେ ଭାସେ ।।
ମାନସିକତାରେ ମସି ଲାଗିଥିଲେ
ମାନସିକ ପଣେ
ସମ୍ପର୍କ ଝାଉଁଳି ଯାଏ ।
ମଣିଷ ମନ ବି ସହଜେ ମସୃଣ
କ୍ଷଣକ ପାଇଁକି
ଆସେ,ଆସି ଖସିଯାଏ ।।
ଆଖି ବୁଝିଦେଲେ ପୁଳାଏ ସପନ
ଆଖି ଖୋଲିଦେଲେ
ଅଜାଣତେ ଲୁଚିଯାଏ ।
ସପନ ଗୁଡିକ ଏତେ ଅମାନିଆ
ଅତର୍କିତ ଭାବେ
କ୍ଷଣେ ଆସି ଛପିଯାଏ ।।
ପ୍ରେମ ନୁହେଁ କେବେ ବୟସ କୈନ୍ଦ୍ରିକ
ବିଧାନ ଭିତ୍ତିକ
ଅବା ସମୟକୈନ୍ଦ୍ରିକ ।
ହୃଦୟ କୈନ୍ଦ୍ରିକ ତ୍ୟାଗରେ ନୈଷ୍ଟିକ
ବ୍ୟକ୍ତିତ୍ୱ ଭିତ୍ତିରେ
ସକାରାତ୍ମକ, ଆସ୍ତିକ ।।