ବିଚ୍ଛେଦ
ବିଚ୍ଛେଦ
କାଳ ସ୍ରୋତସ୍ବିନୀ ପ୍ରଖର ସ୍ରୋତରେ
ଶୁଷ୍କ ତୃଣ ଯେହ୍ନେ ଭାସଇ ଗତିରେ ।
ସେଠାରୁ ଆସିଲି ସମୟ ସାଥିରେ
ଯେଉଁଠି ପଙ୍କଜ ଫୁଟେ ତୋ ହସରେ ।
ନିଦାଘର ସ୍ପର୍ଶ ଲାଗେ ହିମପରି
ଫେରି ମୁଁ ଆସିଲି ସବୁ ତ୍ଯାଗ କରି ।
ଶ୍ରାବଣର ଝଡି ସଙ୍ଗୀତ ମୂର୍ଚ୍ଛନା
ଆଣୁଥିଲା ସତେ ସେ କି ଉନ୍ମାଦନା ।
ବୃଷ୍ଟି ଜଳେ ଆର୍ଦ୍ର ହେଲେବି ଶରୀର
ଭିତରେ ସତେ କି ଜଳେ ବୈଶ୍ବାନର ।
ଶରତର ଶାନ୍ତ ନିର୍ମଳ ପ୍ରଭାତ
ପ୍ରଭାତ ନୁହେଁ ତ ତୋହରି ବ୍ଯକ୍ତିତ୍ବ।
ଯେଉଁଠାରେ ଥିଲା ଶାନ୍ତିର ରାଜତ୍ବ
ଛାଡି ମୁଁ ଆସିଲି ସେ ସ୍ଥାନ ସତତ ।
ହେମନ୍ତର ସ୍ବଚ୍ଛ ଶିଶିର ଉପରେ
ପାଦ ପଡିଗଲେ କୋମଳ ତୃଣରେ ।
ନବ ପଲ୍ଲବର ପରଶ ସଦୃଶ
ଲାଗୁଥିଲା ମତେ ତୋର ପ୍ରତି ସ୍ପର୍ଶ ।
କଅଁଳ କିରଣ ଶୀତ ସକାଳର
କିରଣ ତ ନୁହେଁ ରୂପ ତୋ ଦୟାର ।
ଆଚ୍ଛାଦିତ କରେ ଯେହ୍ନେ ଚଉଦିଗ
ହରୁଥିଲା ସବୁ ଘୃଣା,ଦ୍ବେଷ,ରାଗ ।
ଯେଉଁଠି କୁସୁମ ମଳୟ ମରୁତେ
ବିତରଇ ବାସ ସଦା ଅବିରତେ ।
ଯେଉଁଠି କୋକିଳ ମଧୁର ସଙ୍ଗୀତ
ଶୁଣି ଶୁଣି ଚିତ୍ତ ହୁଏ ଆନ୍ଦୋଳିତ ।
ଯହିଁ ମନ ସଦା ତୋହର ଚିନ୍ତନେ
ଗୋପାଙ୍ଗନା ଯଥା କୃଷ୍ଣ ବଂଶୀ ସ୍ବନେ।
ତହିଁ ଆତ୍ମା ମୋର ଯାଇଅଛି ରହି
କାୟା ମାତ୍ର ମୋର ସଙ୍ଗେ ଅଛି ରହି ।