STORYMIRROR

Ranjan Kumar Hota

Romance

3  

Ranjan Kumar Hota

Romance

ଅଧୁରା କାହାଣୀ

ଅଧୁରା କାହାଣୀ

1 min
11.5K

ଯେପରି ମିଶନ୍ତି ନାହିଁ ନଦୀ ଦୁଇ ଧାର

ଯେପରି ମିଶନ୍ତି ନାହିଁ ଆଲୋକ ଅନ୍ଧାର

ସେପରି ମିଶିବ ନାହିଁ ତୋର ମୋର ଭାଗ୍ଯ,

ନାହିଁ ଯେଣୁ ମୋ ହସ୍ତରେ ଭାଗ୍ଯରେଖା ତୋର ।


ସ୍ଥିର ଜଳ ପରି ସତେ ଥିଲା ମୋ ହୃଦୟ

ତୋର ଆଗମନେ କିବା ଆସିଲା ପ୍ରଳୟ

ଚନ୍ଦ୍ର କୁମୁଦିନୀ ପ୍ରାୟ ଦୂରେ ଦୂରେ ଥାଇ,

ଅସମ୍ଭବ ଲାଗେ ସତେ ଦୁହିଙ୍କ ପ୍ରଣୟ ।


ଶୀତୁଆ ସକାଳର କଅଁଳ ଖରା ପରି

ତୋତେ ଦେଖି ଦେଖି ଦିନ ଯାଉଥିଲା ସରି

ଲାଜୁଆ ତୋ ମୃଦୁହସ ପୁଞ୍ଜିଥିଲା ମୋର,

ସୂର୍ଯ୍ଯାଲୋକେ ପଦ୍ମ ଯେହ୍ନେ ଝଲସିଲା ପରି ।


ଫୁଲ ଛାଡି କଣ୍ଟା କିଏ କରେକି ପସନ୍ଦ

କଣ୍ଟକିତ ଜୀବନ ମୋ ନାହିଁ ରସ,ଗନ୍ଧ

ବୃଥାରେ ଅଞ୍ଚଳ ତୋର ଦେଲୁ ତହିଁ ଛନ୍ଦି

ଆଶାକରେ ସେ କଣ୍ଟାରୁ ରଖନ୍ତୁ ଗୋବିନ୍ଦ ।


ଅଜଣା ଅଶୁଣା ମୁଁ ଏକାନ୍ତ ପଥଚାରୀ

ଅଚିହ୍ନା ହେଲେ ବି ମତେ ଜାଣିଲୁ କିପରି !

ସମଗ୍ର ସଂସାର ମତେ ଜାଣି ନ ପାରିଲା

ତଥାପି ତୁ ହୃଦୟରେ ରଖିଲୁ କିପରି!!!


ହୃଦୟ ବାଞ୍ଛିତ ସୌଧ ଗଢିବୁ କିପରି

ସ୍ବପ୍ନ ଅଧା ରହିଯିବ ବଞ୍ଚିବୁ କିପରି

କେବଳ ସ୍ବପ୍ନରେ ଜୀଇଁ ହୁଏନା ଜୀବନ

ଦେଖିଛୁ ରେଣୁରେ କେବେ ଚାଲିଛି ବା ତରୀ?


ତଥାପି ରହିବୁ ସଦା ହୃଦୟେ ମୋହର

ଯେତେ ଦିନ ଥିବେ ନଭେ ଚନ୍ଦ୍ର ଦିବାକର

ଭାଗ୍ଯକୁ ନିନ୍ଦିବୁ ନାହିଁ ରହିବୁ ସୁଖରେ

ନାହିଁ ଯେଣୁ ମୋ ହସ୍ତରେ ଭାଗ୍ଯରେଖା ତୋର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance