STORYMIRROR

Ranjan Kumar Hota

Classics

3.9  

Ranjan Kumar Hota

Classics

ଯଶୋଦାଙ୍କ ବ୍ରହ୍ମାଣ୍ଡ ଦର୍ଶନ

ଯଶୋଦାଙ୍କ ବ୍ରହ୍ମାଣ୍ଡ ଦର୍ଶନ

2 mins
24K


ଏକ ଦିନେ ନନ୍ଦରାଣୀ ସଙ୍ଗେ ଘେନି ନୀଳମଣି

ପ୍ରବେଶ ଯମୁନା ଘାଟେ ସ୍ନାହାନ ପାଇଁ

ଘାଟ ପାର୍ଶ୍ବ ବଟ ତଳେ ସୁଶୀତଳ ଛାୟା ତଳେ

କୃଷ୍ଣଙ୍କୁ ସରାଗେ ବସାଇଲେ ସେ ନେଇ

ବୋଇଲେ ସେ ଯଶୋଦା ନାରୀ

ତ୍ବରିତେ ଫେରିବି ବାପ ସ୍ନାହାନ ସାରି


ପଚାରନ୍ତି ଗୋପାଳୁଣୀ ଆହେ ନନ୍ଦରାଜ ରାଣୀ

କିମ୍ପା ଆଣିଲ ଯମୁନା ଘାଟେ କାହ୍ନୁକୁ

ଯଶୋଦା କହନ୍ତି ବାଣୀ ଚପଳମତି ଏ ଜାଣି

ଏକା କିମ୍ପା ଗୃହେ ଛାଡି ଦେବି ଏହାକୁ

ଲହୁଣୀ ଚୋରାଇ ଖାଇବ,

ନହେଲେ ହାଣ୍ଡି ମାଠିଆ ନିଶ୍ଚେ ଭାଙ୍ଗିବ


ହସି ହସି ଗୋପାଙ୍ଗନା ପ୍ରବେଶ ହେଲେ ଯମୁନା

ଗୋବିନ୍ଦ ଖେଳନ୍ତି ମାଟି ହୋଇ ବିନୋଦ

ପ୍ରଭୁଙ୍କୁ ଏକାନ୍ତେ ପାଇ ଆବିର୍ଭାବ ହେଲେ ମହୀ

ଭକ୍ତିରେ ପୂଜିଲେ ଶ୍ରୀହରିଙ୍କ ଶ୍ରୀପଦ,

ବୋଇଲେ ଧନ୍ଯ ହେଲି ଆଜ,

ମୋ ବକ୍ଷେ ପଡିଲା ଆଜି ପଦପଙ୍କଜ


ଆହେ ପ୍ରଭୂ ଗିରିଧାରୀ ମର୍ତ୍ତ୍ଯପୁରେ ଅବତରି

ଏତେ ନିରିଦୟ କିମ୍ପା ହେଲ ଶ୍ରୀହରି ,

ତୁମ୍ଭ ଦର୍ଶନ ଆଶରେ ଏତେ ଦିନ ଆକୁଳରେ

ରହିଥିଲି ଆପଣଙ୍କୁ ପ୍ରତୀକ୍ଷା କରି,

ମୁଁ ହେଲି ସିନା ଭାଗ୍ଯହିନା,

ଜନ୍ମ ମାତ୍ରେ ପଦ ସ୍ପର୍ଶ କଲା ଯମୁନା


ଏତେ ଦିନ ମାତା ଅଙ୍କେ ଅବା ଝୁଳଣ ପଲଙ୍କେ

ଖେଳୁଥିଲ ଆହେ ପ୍ରଭୁ ନନ୍ଦ ଉଆସେ

କିପରି ପୂଜିବି ମୁହିଁ ଚିର ଦାସୀ ଅଟେ ମୁହିଁ

ଚିନ୍ତି ନ ପାରଇ ପ୍ରଭୁ ଅତି ଉଲ୍ଲାସେ,

ମୃତ୍ତିକା କଙ୍କର ମୋ କାୟ

କି ନୈବେଦ୍ଯ ଦେବି ଆହେ ରାଧିକାପ୍ରିୟ


ବିଶ୍ବମ୍ଭରାଙ୍କ ବଚନ ଶୁଣି ଦେବକୀନନ୍ଦନ

ଆବିର୍ଭାବ ହେଲେ ଚତୁର୍ଭୂଜ ରୂପରେ,

ବୋଇଲେ ହେ ମାତା କ୍ଷମା କି କହିବି ତୋ ମହିମା

କ୍ଷମାଶୀଳା ତୋ ପରି କେ ନାହିଁ ସଂସାରେ,

ମହାତ୍ମା ଓ ଦୁରାତ୍ମା ବେନି

କ୍ଷମା କରିଥାଉ ତୁହିଁ ଯେହ୍ନେ ଜନନୀ


ତୋ ବକ୍ଷେ ସୁଜନ ଜନ ବିଛାନ୍ତି ଧର୍ମ ସୁମନ

ବିଧର୍ମୀ ବୁହାନ୍ତି ହିଂସା ପାପ ଶୋଣିତ,

ଜନ୍ମଦାତ୍ରୀ ମାତା ପରି ସବୁ ସହି ଦେଉ ଭରି

ଅନ୍ନ ଜଳ ସଙ୍ଗତେ ବିଶୁଦ୍ଧ ମରୁତ,

ଧନ୍ଯ ମାତା ସାଗରାମ୍ବରେ !

ଭେଦାଭେଦ ଭାବ ନାହିଁ ତୋର ଅନ୍ତରେ


>

ତୋ ମାଟି ଏତେ ପବିତ୍ର ଧନ୍ଯ ହେଲା ମୋର ଗାତ୍ର

ଲାଗଇ ଯେସନେ ଅଛି ମାତା ଅଙ୍କରେ,

ସୁଧା ସମ ତୋ ମୃତ୍ତିକା ଲୋଡା କି ଆଉ ଅଧିକା

ଗ୍ରହଣ କରୁଛି ମୁଁ ନୈବେଦ୍ଯ ରୂପରେ,

ତେଣୁ ତେଜ ମନୁ ବିଷାଦ,

ଧନ୍ଯ ମାତା ଧନ୍ଯ ତୋର ଏହି ପ୍ରସାଦ


ପ୍ରଣିପାତ କରି ପୁଣି ବିଦାୟ ନେଲେ ଧରଣୀ

ଆଶୀର୍ବାଦ କଲେ ପ୍ରଭୁ ହୋଇ ହରଷ,

ଭାବ ବୁଝି ଭାବଗ୍ରାହୀ ମୃତ୍ତିକା ତୁଣ୍ଡରେ ଦେଇ

ଅତି ଆନନ୍ଦିତ ମନେ ସେ ହୃଷୀକେଶ ,

ଗୋପାଙ୍ଗନାମାନେ ଦେଖିଲେ,

ତତ୍ କ୍ଷଣେ ଯଶୋମତୀଙ୍କୁ ବାର୍ତ୍ତା କହିଲେ


ଧାଇଁ ଆସି ଯଶୋମତୀ ଶ୍ରୀକୃଷ୍ଣଙ୍କୁ ପଚାରନ୍ତି

ମୁଖ ଖୋଲ ବାପ କାଢି ଆଣିବି ମାଟି

ଯଶୋମତୀଙ୍କୁ ଅସ୍ଥିର ଦେଖି ଦେବ ଚକ୍ରଧର

ଧିରେ ଧିରେ ଆଁ କରି ଖୋଲିଲେ ପାଟି,

ଦେଖି ଯଶୋମତୀ ଚକିତ,

ଶ୍ରୀହରି ମୁହଁରେ ବୁଲେ ସାରା ଜଗତ


ସୂର୍ଯ୍ଯ,ନକ୍ଷତ୍ର,ଚନ୍ଦ୍ରମା ନବଗ୍ରହ ପରିକ୍ରମା

ଅନ୍ଯାନ୍ଯ ଜ୍ଯୋତିଷ୍କ ସଙ୍ଗେ ତାରା ମଣ୍ଡଳ,

କେଉଁଠି ଆଗ୍ନେୟଗିରି ଉତ୍ତଙ୍ଗ ପର୍ବତଶିରୀ

ଦୃଶ୍ଯ ହେଉଛି ସଂପୂର୍ଣ୍ଣ ଏ ଭୂମଣ୍ଡଳ ,

ରତ୍ନାକର ହ୍ରଦ ତଟିନୀ,

ଶ୍ରୀକୃଷ୍ଣ ସଙ୍ଗେ ଯଶୋଦା ଦିଶନ୍ତି ପୁଣି


ଏ କି ଆଚମ୍ବିତ କଥା ଯଶୋମତୀ ମନେ ଚିନ୍ତା

ଭୟ ପାଇ ମୂର୍ଚ୍ଛାଗତ ନନ୍ଦ ଘରଣୀ,

ଗୋପାଙ୍ଗନା ଜଳ ସିଞ୍ଚି ତାଙ୍କୁ ସାଷ୍ଟାମ କରାନ୍ତି

ପଚାରନ୍ତି କିସ ହେଲା ଯଶୋଦା ରାଣୀ ,

ଯଶୋମତୀ କହନ୍ତି ବାଣୀ,

କି ଲୀଳା କରୁ କହ୍ନାଇ ନ ପାରେ ଜାଣି


ପୂର୍ବ ଜନ୍ମର ସୁକୃତ ଏ ଜନ୍ମେ ହୋଇଲା ପ୍ରାପ୍ତ

ଶ୍ରୀହରିଙ୍କୁ ପୁତ୍ର ରୂପେ ପାଇ ଯଶୋଦା,

ହୋଇଲା ଜୀବନ ଧନ୍ଯ ଲଭିଲେ ମାତୃ ସମ୍ମାନ

ଘୋର ତପ କରିବାରୁ ପୂର୍ବେ ଏକଦା,

ଯୋଗମାୟାଙ୍କ ମାୟା ବଳେ,

ପୁତ୍ର ରୂପେ ଶ୍ରୀହରିଙ୍କୁ ପାଳନ କଲେ


ଜନ୍ମଦାତ୍ରୀ ମାତାଠାରୁ ପାଳନକର୍ତ୍ତ୍ରୀ ଯେ ଗୁରୁ

ରଖିଲ ଏ ଯଶ ଆହେ ଯଶୋଦା ମାତା,

ଅନ୍ତ ଫାଡି ନ ଜନମି - ଥିଲେ ବି ହେ ନନ୍ଦରାଣୀ

ମମତାରେ ହରାଇଲ ଦେବକୀ ମାତା

ଧନ୍ଯ ମାତ ଧନ୍ଯ ମମତା

ତୋ ଦିବ୍ଯ ଚରଣେ ମାତ ନଉଁଛି ମଥା


Rate this content
Log in

Similar oriya poem from Classics