Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjan Kumar Hota

Classics

4.3  

Ranjan Kumar Hota

Classics

ଶ୍ରୀରାମ-ଶବରୀ ଆଖ୍ୟାନ

ଶ୍ରୀରାମ-ଶବରୀ ଆଖ୍ୟାନ

3 mins
125


(ରାଗ-ବିପ୍ରସିଂହା ଚଉତିଶାବାଣୀ)

କବନ୍ଧ ଉଦ୍ଧରି ରାମ ମତଙ୍ଗ ମୁନି ଆଶ୍ରମ

ଅଭିମୁଖେ ପଦ ବଢାଇଲେ,

ଋଷ୍ୟମୁକ ପର୍ବତରେ ପମ୍ପା ପଲ୍ଵଳ ପାଖରେ

ସେ ଦିବ୍ୟ ଆଶ୍ରମ ମହୀତଳେ,ହେ ସୁଧିଜନେ,

ତାଙ୍କ ପରମଶିଷ୍ୟା ଶବରୀ,

ରାମ ଆଶେ ଆୟୁ ଯାଏ ସରି ।1।


ମୁନିଙ୍କ ତପ ବଳରେ ଆଶ୍ରମ ଚତୁଃପାର୍ଶ୍ଵରେ

ଜୀବ ମନୁ ହିଂସା ଯାଏ ଛାଡି,

ମୃଗ ମୃଗରାଜ ବେନି ଏକତ୍ର ପିଅନ୍ତି ପାଣି

ଖାଦ୍ୟ ଖାଦକ ସଂପର୍କ ଛାଡି,ହେ ସୁଧିଜନେ,

ଫଳ,ପୁଷ୍ପ ସତେଜ ସର୍ବଦା

ଦେବଦେବାଗଣ ତୋଷ ସଦା ।2।


ଗୁରୁ ମତଙ୍ଗ ମହର୍ଷି କହିଲେ ତା'କୁ ଆଶ୍ଵାସି

ମିଳିବେ ତୋତେ ଶ୍ରୀ ରଘୁବୀର,

ପତ୍ନୀଙ୍କ ଅନ୍ଵେଷଣରେ ଆସିବେ ଋଷ୍ୟମୁକରେ

ଦେବେ ଜ୍ଞାନ ପରମ ଭକ୍ତିର,ହେ ଶୁଦ୍ରୀଶ୍ରେଷ୍ଠା

ସେହି କାଳେ ମୋକ୍ଷ ପ୍ରାପ୍ତି ହେବ,

ମୋ ସଙ୍ଗତେ ସ୍ଵର୍ଗେ ଭେଟ ହେବ ।3।


ସିଦ୍ଧିଯୋଗୀ ମହାମୁନି ବାକ୍ୟ ଅନ୍ୟଥା ହୁଏନି

ନିଶ୍ଚୟ ଆସିବେ ରଘୁବୀର,

ଦର୍ଶନ ହେବ ତାଙ୍କର ପାପ କ୍ଷୟ ହେବ ମୋର

ଆତ୍ମା ମୋକ୍ଷ ଲଭିବ ଆମ୍ଭର,ହେ ସୁଧିଜନେ

ଏହି ଆଶେ ନିତି ପ୍ରତିଦିନ,

କରୁଥାଏ ରାଘବ ଚିନ୍ତନ ।4।


ନୀଚ କୁଳେ ଜାତ ହୋଇ ନାନା ଦୁଃଖ କ୍ଳେଷ ସହି

ମତଙ୍ଗ ଆଶ୍ରମେ ଆଶ୍ରା ପାଇ,

ଗୁରୁ ପଦ ସେବା କରି ସିଦ୍ଧିପ୍ରାପ୍ତ ସେହି ନାରୀ

ଅନନ୍ୟ ଭକ୍ତିର ରୂପ ସେହି,ହେ ସୁଧିଜନେ,

ତଥାପି ଅନ୍ୟ ତପସ୍ଵୀ ଯତି,

ଶୁଦ୍ରା ବୋଲି ଭର୍ତ୍ସନା କରନ୍ତି ।5।


ଯେବେ ଆସିବେ ରାଘବ କାଳେ ପାଦେ ବାଧା ହେବ

ଗମନ କଲା ବେଳେ ପଥରେ,

ମୃତ୍ତିକା କଙ୍କର ଲାଗି ଅବା ବନ କଣ୍ଟା ଲାଗି

ରୁଧିର ବହିବ ଶ୍ରୀପୟରେ, ହେ ସୁଧିଜନେ

ସେଥିପାଇଁ ପଥ ଶୁଦ୍ଧ କରି,

ପ୍ରସୂନରେ ସଜାଏ ଶବରୀ ।6।


ନିଷ୍କାମ ଭକତି କରି ସଫଳ ହେଲା ଶବରୀ

ଶ୍ରୀରାମ ଆସିଲେ ତା କୁଟୀର,

ଗୈରିକ ପରିଧାନରେ କୋଦଣ୍ଡ ଶୋଭେ କାନ୍ଧରେ

ସଙ୍ଗତରେ ସୁମିତ୍ରା କୁମର,ସେ ଭାଗ୍ୟବତୀ

ଦିବ୍ୟ ଶୋଭାବନ୍ତ ବେନି ଭାଇ,

ବିସ୍ମୟେ ଶବରୀ ଯେ ଅନାଇ ।7।


ଆହେ ମାତା ଶୁଣ ଗିର ଦଶରଥଙ୍କ କୁମର

ଆମ୍ଭେ ଦୁଇ ଭାଇ ଅଟୁଁ ଜାଣ,

ମୋର ନାମ ରାମଚନ୍ଦ୍ର କୌଶଲ୍ୟା ମାତା କୁମର

ସଙ୍ଗତରେ ଅନୁଜ ଲକ୍ଷ୍ମଣ,ଗୋ ତପସ୍ଵିନୀ

ଜାନକୀ ସନ୍ଧାନ ଉଦ୍ଦେଶ୍ୟରେ,

ଭ୍ରମୁଅଛୁ ଘୋର ଅରଣ୍ୟରେ ।8।


ରାଘବଙ୍କୁ ଚିହ୍ନି ପାରି ଭାବ ବିହ୍ଵଳ ଶବରୀ

ଶ୍ରୀରାମଙ୍କ ପାଦରେ ପଡିଲା,

ନେତ୍ରୁ ଅଶ୍ରୁଯାଏ ଝରି ସେ ଅଶ୍ରୁ ପଦରେ ପଡି

ରାଘବଙ୍କ ପଦ ଧୌତ ହେଲା,ହେ ସୁଧିଜନେ

ଆସ ପ୍ରଭୁ ଆସ ଯେ ବୋଲିଣ,

ପାଛୋଟିଲା ବିଞ୍ଛି ଯେ ସୁମନ ।9।


ମାଟି ଘଟେ ଜଳ ଆଣି କହିଲା ହେ ରଘୁମଣି

ପଦ ଧୌତ ଯଶ ଦିଅ ବାରେ,

ଶ୍ରୀରାମ ବୋଇଲେ ମାତା ନାହିଁ ଯେ ଆବଶ୍ୟକତା

ତୁମ୍ଭ ଅଶ୍ରୁ ପଡି ମୋ ପଦରେ,ସେ ରଘୁବୀର

ସର୍ବତାପ ମୋର ଗଲା ନାଶ,

ତେଣୁ ତୁମ୍ଭେ ନ ହୁଅ ବିରସ ।10।


ଶବରୀ ଭାବିଲା ମନେ ଏତେ ଦୂର ଆସି ବନେ

ପ୍ରଭୁ ମୋର ଥିବେ କ୍ଷୁଧାତୁର,

ମିଷ୍ଟ ଫଳ ତୋଳିଆଣି ରଖିଥିଲା ସେ ରମଣୀ

ଜଳ ସଙ୍ଗେ ଆଣିଲା ସତ୍ଵର, ହେ ରଘୁନାଥ

ଦେଖି ରାମ ଲକ୍ଷ୍ମଣ ଆନନ୍ଦ,

ଭୁଞ୍ଜିଲେ ହୋଇ ଅତି ସାନନ୍ଦ ।11।


ଶବରୀ ବୋଲଇ ବାଣୀ ଆହେ ପ୍ରଭୁ ରଘୁମଣି

ଏଠାରୁ ଯିବ ହେ ପମ୍ପା ତୀରେ,

ସେଠାରୁ ଦିଶିବ ଶୃଙ୍ଗ ରହିଛି ହୋଇ ଉତ୍ତୁଙ୍ଗ

ଋଷ୍ୟମୁକ ପର୍ବତ ଶିଖରେ,ହେ ରଘୁନାଥ

ସୁଗ୍ରୀବ ବାନର ରାଜ ତହିଁ,

ଚାରି ମନ୍ତ୍ରୀ ସଙ୍ଗେ ଅଛି ରହି ।12।


ଆପଣଙ୍କ ପରିଚିତ ରହିଛି ଯେ ଏକ ଭକ୍ତ

ନାମ ଯେ ତାହାର ହନୁମାନ,

କରି ମିତ୍ରତା ସ୍ଥାପନ ସୁଗ୍ରୀବରାଜା ସଙ୍ଗେଣ

ସାଧ୍ୟ ହେବ ଜାନକୀ ସନ୍ଧାନ,ହେ ରଘୁନାଥ

ହେଲେ ତା' ପୂର୍ବରୁ ଦୟା କର,

ଦିଅ ଜ୍ଞାନ ପରମ ଭକ୍ତିର ।13।


ଶ୍ରୀରାମ ବୋଲନ୍ତି ବାଣୀ ଶୁଣ ଆହେ ତପସ୍ଵିନୀ

ନାହିଁ ତୋ ଭକ୍ତିର ପଟାନ୍ତର,

ଭକ୍ତିରେ ତୋର ସମାନ ନାହିଁ ଆଉ କେହି ଜାଣ

କି ଜ୍ଞାନ ଦେବି ବା ମୁହିଁ ଛାର,ଗୋ ତପସ୍ଵିନୀ

ଶବରୀ କହିଲା ପ୍ରଭୁ ଶୁଣ,

ଗୁରୁ ଆଜ୍ଞା ନ କର ବାରଣ ।14।


ନୀଚ କୁଳେ ଜାତ ହୋଇ ନାନା ଦୁଃଖ କଷ୍ଟ ସହି

ଶେଷରେ ପାଇଲି ମୋ ରାମଙ୍କୁ,

ଭକ୍ତିର ଜ୍ଞାନ ମୁଁ ପାଇ ମୁକତି ଲଭିବି ମୁହିଁ

ମୋକ୍ଷ ପରେ ଭେଟିବି ଗୁରୁଙ୍କୁ,ହେ ରଘୁମଣି

ଶ୍ରୀରାମ କହନ୍ତି ତେବେ ଶୁଣ,

ଶିକ୍ଷା ଯାହା ଦେଲେ ଗୁରୁଜନ ।15।


ଆଗୋ ମାତା ଶୁଣ ବାଣୀ ଜାତି ଗୋତ୍ର ମୁଁ ନ ଜାଣି

ଉଚ୍ଚ କୁଳ ଧନ ଗର୍ବ ଛାର

ଗୁଣ ତଥା ଚତୁରତା ଥିଲେ ବି ଆହେ ବନିତା

ମହାନ ସଂପର୍କ ସେ ଭକ୍ତିର, ହେ ଶୁଦ୍ରୀଶ୍ରେଷ୍ଠା

ଜଳ ନ ଥାଇ ଯଥା ଜଳଦ,

ତଥା ଭକ୍ତିଭାବ ହୀନ ହୃଦ ।16।


ନବଧା ଭକ୍ତିର ନାମ ସାବଧାନ ହୋଇ ଶୁଣ

ଶୁଣି ଚିତ୍ତ ହେବ ତୋର ସ୍ଥିର,

ପ୍ରଥମରେ ସାଧୁ ସଙ୍ଗ ଦ୍ଵିତୀୟରେ ମୋ ପ୍ରସଙ୍ଗ

ଶ୍ରବଣ କରିବ ସପ୍ରେମର,ହେ ଶୁଦ୍ରୀଶ୍ରେଷ୍ଠା

ଗୁରୁପଦ ସେବା ତୃତୀୟରେ,

ଅଭିମାନ ତେଜିଣ ମନରେ ।17।


ଚତୁର୍ଥ ଭକତି ଜାଣ ମୋ ନାମ ନିତ୍ୟ ଭଜନ

ତେଜି ହୃଦୁ କପଟାଚରଣ,

ପଞ୍ଚମ ଭକତି ପୁଣ ବେଦରେ ପ୍ରସିଦ୍ଧ ଜାଣ

ମୋର ରାମମନ୍ତ୍ର ଉଚ୍ଚାରଣ,ହେ ତପସ୍ଵିନୀ

ମୋଠାରେ ରଖି ଦୃଢ ବିଶ୍ଵାସ,

ଭଜିଲେ ପାଇବୁ ସ୍ଵର୍ଗେ ବାସ ।18।


ଇନ୍ଦ୍ରିୟ ନିଗ୍ରହ ପୁଣ ଶୀଳ ଭାବ ପ୍ରଦର୍ଶନ

ଷଷ୍ଠ ଭକ୍ତି ଜାଣିଥା ସର୍ବଥା,

ମୋ ସ୍ଵରୂପ ସର୍ବଠାବେ ସମରୂପେ ସମଭାବେ

ଜଡ ହେଉ ଅବା ଜୀବସତ୍ତା,ଗୋ ଶୁଦ୍ରୀଶ୍ରେଷ୍ଠା

ସପ୍ତମ ଭକତି ଏହା ଜାଣ,

ଅଷ୍ଟମ ଭକତି ପୁଣି ଶୁଣ ।19।


ଭାଗ୍ୟବଳେ ଯାହା ପ୍ରାପ୍ତ ଅଳ୍ପରେ ରୁହ ସନ୍ତୁଷ୍ଟ

ବିଭୁକୃପା ଚିନ୍ତିଣ ସର୍ବଦା,

ପର ଅମଙ୍ଗଳ କଥା ନ କରି ସ୍ଵପ୍ନରେ ଚିନ୍ତା

କପଟରହିତ ଭାବ ସଦା,ହେ ଶୁଦ୍ରୀଶ୍ରେଷ୍ଠା

ନବମରେ ସରଳ ଜୀବନ,

ନବଧା ଭକ୍ତି ଏ କଥା ଜାଣ ।20।


ଜଡ ଜୀବ ନିର୍ବିଶେଷେ ନାରୀ ବା ଅବା ପୁରୁଷେ

ଥିଲେ ବି କୌଣସି ଏକ ଭକ୍ତି,

ଭକ୍ତ ମଧ୍ୟେ ସେହି ଶ୍ରେୟ ସେ ହୁଏ ମୋହର ପ୍ରିୟ

ହୁଏ ସୁଗମ ତା'ର ମୁକତି, ଗୋ ତପସ୍ଵିନୀ

ଦିବ୍ୟ ଜ୍ଞାନ ପାଇଲୁ ଭକ୍ତିର,

ଯା ନ ପାଆନ୍ତି ବ୍ରହ୍ମା ଶଙ୍କର ।21।


ନବଧା ଭକ୍ତିର ବାଣୀ ଶୁଣିଲା ସେ ତପସ୍ଵିନୀ

ମୋହ ଭଙ୍ଗ ହୋଇଲା ତାହାର,

ପ୍ରଣମି ରାମ ପୟରେ ବସିଲା ଯୋଗଧ୍ୟାନରେ

ଯୋଗସମାଧି ହେଲା ସଞ୍ଚାର,ସେ ମହିୟସୀ

ଆତ୍ମା ପରମାତ୍ମାରେ ମିଶିଲା,

ଯୁଗେ ଯୁଗେ ନାମ ତା ରହିଲା ।22।


Rate this content
Log in

Similar oriya poem from Classics