ରାଧା ନୁହେ ରାଜନୀତି
ରାଧା ନୁହେ ରାଜନୀତି
ତା' କଥା କୁହ ନି, ସିଏ ମୋ' ପାଇଁକି
ଉପସ୍ଥିତ ରାଜନୀତି,
ତୁମେ ତ ମୋ' ମନ ବେଳାଭୂମି ପରେ
ସଦ୍ୟ ସୁରଭିତ ପ୍ରୀତି ।
ତା' ପାଇଁ ରଖିଛି ମେଞ୍ଚା ମେଞ୍ଚା ମୋର
ସ୍ନେହଭରା ଶତଦଳ,
ତୁମେ ମୋ' ନିଭୃତ ପ୍ରେମ ଅଗଣାର
ସୁରଭିତ ପ୍ରୀତି ଫୁଲ ।
ପ୍ରଣୟ ଋତୁର ପ୍ରୀତି ପାଖୁଡ଼ାରେ
ତୁମେ ପ୍ରଣୟ ବଲ୍ଲରୀ,
ପ୍ରିୟା ଗୋ,କେମିତି ଗାଇବି ସେ ଗୀତି
ମୋ' ସଙ୍ଗୀତ ଆଶାବରୀ ।
ଗାମ୍ଭୀର୍ଯ୍ୟପଣର ଗୁପ୍ତ ଗାୟତ୍ରୀ ଗୋ
ଗୁରୁ ଗମ୍ଭୀର ଚାହାଣି,
ମୋ' କର୍ତ୍ତବ୍ୟବୋଧ ପ୍ରଥମ ପର୍ଯ୍ୟାୟ
ଜୀବନ ସଦ୍ୟ କାହାଣୀ ।
ଲାଜକୁଳୀ ନୁହଁ ତଥାପି ଲାଜରେ
ଝାଉଁଳି ନରମି ଯାଅ,
ଝାଉଁଳିବା ବେଳେ ମୋ' ମନ ରାଇଜେ
ନିରୂପମ ରୂପ ନିଅ ।
ଋତୁ ଫଗୁଣର ରଙ୍ଗର ପାଖୁଡା
ଅଙ୍ଗେ ଅଙ୍ଗେ ଛୁଇଁଯାଏ,
ବହଳ ବହଳ ବଉଳର ବାସ୍ନା
ମନକୁ ଭିଜାଇ ଦିଏ ।
କେଉଁ ନାମ ଧରି ଡାକିବି ତୁମକୁ
ସବୁ ନାମରେ ସୁନ୍ଦରୀ,
ତଥାପି ଭାବିଛି ନାମ ଟି ରଖିଛି
ମୋ' କଳ୍ପନା କାଦମ୍ବରୀ !
ଅଳପ ହସରେ ଅସରା ପ୍ରୀତିର
ଅଭୁଲା ପ୍ରେମ ଜୁଆର,
ପାଇଛି ଗୋ ରାଧା ତୁମ ପଣତରେ
ପ୍ରଣୟ ମେଘମେଦୁର ।
ଅପୂର୍ବ ସେ ପ୍ରେମ ମୋ' ସୁପ୍ତ ସ୍ବପ୍ନକୁ
ଦେଲା ନୂଆ ଜୀବନ୍ୟାସ,
ତୁମ ପଣତରେ ଅର୍ପଣ କରୁଛି
ରଖ ଗୋ ଫଲ୍ଗୁ ପୀୟୂଷ !
ରାଧା ଆଉ ମୀରା ଉଭୟେ ମୋ' ପାଇଁ
ଜଣେ କର୍ମ ଜଣେ ଧର୍ମ,
ଯେପରି ଯମୁନା ସାଙ୍ଗକୁ କଦମ୍ବ
ଉଭୟରେ ମୁଁ ବିଲୀନ !
ରାଧା ଲୋ ! ତୁମେ ମୋ' ଚର୍ଛିତ ଚନ୍ଦନ
ମୀରା ତ୍ୟାଗର ତୁଳସୀ
ଜଣକ ବିହୁନେ ଆନକୁ ପାଇ ମୁଁ
ହେବି କିମ୍ପା କେବେ ଖୁସି ?
ରାଧା ! ତୁମେ ମୋର ନିର୍ବାକ୍ ରାଗିଣୀ
ବର୍ଣ୍ଣିଳ ଭଜନ ସନ୍ଧ୍ୟା,
ରାଜନୀତି ନୁହଁ, ମାନବୀୟ ପ୍ରୀତି
ତୁମ ପଣତରେ ବନ୍ଧା ।
କେତେବେଳେ କାହ୍ନା କେବେ ମୁଁ ଶ୍ରୀ କୃଷ୍ଣ
କେବେ ଦ୍ଵାରିକାଧିପତି,
ଯେଉଁ ରୂପେ ଥିବି ସ୍ମୃତି ହୋଇ ତୁମେ
ସଂସ୍ଥାପିଥିବ ସଂହତି !
ଲୋକଙ୍କ ଆଖିରେ ରାଧା ମୀରା ଦୁହେଁ
ମୋ' ଆଖି ନୟନତାରା,
ଯୁଗ ଚାଲିଯିବ କଥା ରହିଥିବ
ରହିଥିବ ଅପାସୋରା !!

