କଟକ
କଟକ
ତତେ ଦୁର୍ଗ ଦୁଆରେ ଛାଡ଼ି ଆସିଲା ପରେ
ତୁ ମତେ ଭିଡି ଧରିଚୁ ବୋଲି ଜାଣିଲି
ସେଇ ଶୁନ୍ଶାନ୍ ପହରକୁ ବାଛିନେଇଛୁ
ଯେମିତି ମତେ ତୋ ଇଚ୍ଛାମତେ ଖେଳାଇବୁ
ଆକ୍ତାମାକ୍ତା ହେଲା ଯାଏ
ତୋ ଭିତରେ ବୁଡେଇବୁ, ଉଠେଇବୁ
ସ୍ମୃତିମାନଙ୍କୁ କାଟି କୁଟି ସାଇଜ୍ କଲାବେଳକୁ
ସେଇଥିରେ ମତେ ହିଁ ଭରିବୁ
ଇଚ୍ଛା କରେ କି ନାହିଁ
ସତୀଚଉରାରୁ ଖାନନଗର ଲାଇବ୍ରେରୀ ଯାଏଁ
ଦିନକୁ ଥରଟେ ଦଉଡେଇ ଦେବୁ॥
ଇତିହାସ ଫିତିହାସରେ ମୋର କଣ ଯାଏ
ମୁଁ ତ ଥରକୁ ଥର ଜିଉଁଥାଏ ସେତେବେଳେ
ଯେତେବେଳେ ସରିଯାଇଥିବା ସମୟକୁ
ମନେ ପକେଇବାକୁ ଆସେ
ନା ଭୁଲିବାକୁ ଆସେ
ଯୋବ୍ରା ବ୍ୟାରେଜ୍ ଉପରକୁ
ଯୋଉଠି ଖୋଲା ଗେଟ୍ ଦେଇ
ବହିଯାଏ ଅନେକ ପ୍ରତିଶୁତି
ଯାହା ବିଷୟରେ କେହି କେବେ
କଥା ହୁଏ ନାହିଁ ଆଉ
କେହି ବି ପଚାରେ ନାହିଁ
କେତେ ରାତି ବିତି ସାରିଲାଣି
କେତେ ରାତି ବାକି ଅଛି
ସ୍ଵପ୍ନ ଦେଖିବାକୁ, ଦେଖେଇବାକୁ ॥
ଫେରିବ ବୋଲି କହି
ଷ୍ଟାଡିୟମ୍ ସାମ୍ନାରେ
ଛାଡି ଆସିଥିବା ବିଶ୍ୱାସର ସକାଳଟିକୁ
ତୁ ଏବେ ମୋ ଆଗରେ
ଠିଆ କଲେ କଣ ହେବ ଯେ
କାକର ବୁନ୍ଦାରେ ଧୋଇଯାଇଛି ପାଦଚିହ୍ନ
ଇତସ୍ତତଃ ନିଃଶ୍ଵାସରେ
ଉଡିଯାଇଛି ସେ ଦିନର ଆୟୁଷ୍କାଳ
କାହିଁକି ଡ଼ାକୁଚୁ ତେବେ
ଦେଖିବାକୁ ଶୂନ୍ୟ ମେଢ
ମୂର୍ତ୍ତି ସବୁ
ହେଲା ପରେ କାଠଯୋଡି ଲୁହରେ ବିଲୀନ ॥
ତୋ ଭିତରେ ଥିଲାବେଳେ
ଅସ୍ତବ୍ୟସ୍ତ ହେଉଥିବା ଜୀବନକୁ
ସମର୍ପି ଦେବୁ ଗୋଟେ ନୀଳ ମହାକାଶ ବୋଲି
ତୁ ନିଜେ ମୋ ଆଗରେ
ଆଙ୍କିଦେଲୁ ନକସା
ଟାଣି ଦେଲୁ ରାସ୍ତା
ରାଜଧାନୀ ଗୋଟେ ପ୍ରାପ୍ତି ବୋଲି
ଦେଲୁ ଗାଆଁ ବାୟା ଚଢେଇର ବସା
ସବୁ ଘରକରଣା ବୋହି ନେଇ
ସେ ଦିନ ତତେ ଅପରାହ୍ନରେ
ଛାଡ଼ି ଆସିଲି ଭାବିଚି
ଅଥଚ ସେଇ ନିରୀହ ପଣରେ
ତୁ ମୋ ଭିତରେ ରହିଯାଇଚୁ ଜାଣୁଚି
ଆଉ କଟକ କହିଲେ ହିଁ
ସେଇ ଭିତରେ ଭିତରେ ବନ୍ୟା ଆସୁଚି ॥
