STORYMIRROR

Prabhati Mahapatra

Action Inspirational Others

3  

Prabhati Mahapatra

Action Inspirational Others

କ୍ଷଣିକେ କି ଜାଣ ଅନ୍ତର କଥା

କ୍ଷଣିକେ କି ଜାଣ ଅନ୍ତର କଥା

1 min
185


ଆହେ ପ୍ରଭୁ ଚକ୍ରଧର    ଗଢିଣ ଏହି ସଂସାର

କି ବିଚାରି ପ୍ରଭୁ ତୁମେ ଗଲ ଦୂରେଇ

କଷଣ ଲେପନ କରି    ନଜାଣି କି ଭାବ ଶିରୀ

ମର୍ତ୍ତ୍ୟ ଭୂମଣ୍ଡଳେ ମିଛ ଏ ତୁଛ ଦେହୀ

କାହିଁକି ହେ ଏତେ ନିଷ୍ଠୁର

କ୍ଷଣିକ ଦେଖାରେ କିବା ବୁଝ ଅନ୍ତର ।

କର୍ମ ଅନୁସାରେ ଫଳ    ଭୋଗେ ଯଦି ତନୁ ବଳ

ପ୍ରୟୋଜନ କିବା ପ୍ରଭୁ ତୁମରି ଠାଇଁ

ତୁମେ ଦେବ ଲୋକେ ବସି  ଦୁଃଖ ଦେଖି ହୁଅ ଖୁସି 

କାହିଁକି ପୂଜିବେ ଜନେ ତୁମେ ଗୋସାଇଁ

ଯେଉଁ ସୃଷ୍ଟି ଚିନ୍ତିଲ ହୃଦେ

ବିପତ୍ତି ଆସିଲେ କିଏ ବୋଲିବ ପଦେ ।

କିଏ ଅନ୍ନ ବିନା ମରେ    କିଏ ପୁତ୍ର ଶୋକ ଭରେ

କିଏ ପୁଣି ଅସ୍ଥିମାଳେ ଶୋଭା ଭୂଷଣ

ବିନା ଦୋଷେ କଳଙ୍କିତ    ଯେବେ ହୁଏ କର୍ଣ୍ଣ ଶ୍ରୁତ

ଅଦୃଶ୍ୟ ଅନଳେ ପ୍ରାଣ ହୁଏ ବିଲିନ୍ନ

କିବା ସହୁ ଏ ଦୁଃଖ ଦେଖି

ନିରନ୍ତର କିବା କ୍ଲେଶ ଦେଇଛ ଲେଖି ।

ଅନ୍ତର୍ଯ୍ୟାମୀ ନାମ ବହି  ମର୍ତ୍ତ୍ୟେ ଅବତୀର୍ଣ୍ଣ ହୋଇ

ସକଳ ଭକ୍ତ ହୃଦ କରିଲ ଜୟ

କିଞ୍ଚିତେ କରୁଣା ନାହିଁ   ନାମ ତୁମ ଭାବଗ୍ରାହୀ

ଅଜ୍ଞାନ ଶିଶୁ ଇଜ୍ଜତେ ନାହିଁଟି ଲୟ

ତୁମ ନେତ୍ର ତଳେ ଏ ଛବି

କେମିତି କହୁଛ ତୁମେ ନିମିତ୍ତ ଭାବି ।

ନିମିଷକେ ନାଶି ଦୁଃଖ   ରଖ ଆହେ ପଦ୍ମ ମୁଖ

ବିଶ୍ୱ ଦରବାରେ ତୁମେ ଦୁଃଖ ନାଶନ 

ଜୀବନ ମେଦିନୀ ପୃଷ୍ଠେ  ପ୍ରଭୁ ବିନା କଷ୍ଟେ ତିଷ୍ଠେ

ଧର୍ମପଦ ବିପତ୍ତିରେ ବନ୍ଦ ନୟନ

ଦେଖୁ ଦେଖୁ ଉଦ୍ଧାର ପରା

ତୁମ ଚକ୍ଷୁ ତଳେ ଲିଭେ ଅମୂଲ୍ୟ ହୀରା ।

ମନୁଆ ଛଳିଆ ତୁମେ  ମନ ତୁମ କାହିଁ ଭ୍ରମେ

ବସିଛନ୍ତି କୋଟି ଜୀବ ତୁମକୁ ଚାହିଁ

ନିତି ମରି ବଞ୍ଚି ଥାଏ ଅଲୋଡା ଜୀବନ ପ୍ରାୟେ

କ୍ଷଣିକ ଦେଖାରେ କିବା ବୁଝ ଗୋସାଇଁ

ଶୁନ୍ୟ ଛାତ ଶିର ଉପରେ

କୁହ ପ୍ରଭୁ ଏସବୁ କି ତୁମ ଦୟାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action