କ୍ଷମା କର ହଳାୟୂଧ
କ୍ଷମା କର ହଳାୟୂଧ
ଉଜୁଡି ଗଲାଣି ସବୁଜ ବନାନୀ
ପରିବେଶ ପ୍ରଦୂଷିତ
ଶୁଷ୍କ ଜଳାଶୟ ଗତି ପ୍ରତିହତ
ବରଷା ଅନିୟମିତ
କ୍ଷତାକ୍ତ ପ୍ରାଣ ଆହତ
ନାହି ସୁବିଶ୍ବାସ ମଣିଷ ମନରେ
ଜୀବନ ବିଷାଦଗ୍ରସ୍ତ ।
ଟଳମଳ ଧର୍ମ ଅସ୍ଥିର ପୃଥିବୀ
ବଢେ ଯୁଦ୍ଧ ବିଭୀଷିକା
ନାହିଁ ସମାଜରେ ଆଦର ସମ୍ମାନ
ଅସହାୟ ମାତାପିତା
ଗଣନ୍ତି ସାଧୁ ପ୍ରମାଦ
ନ ମାନନ୍ତି ମୁର୍ଖ ଗୁରୁ ଗୁରୁଜନ
ସର୍ବଗ୍ରାସୀ ତୋଷାମଦ ।
ବଢୁଛି ଅନ୍ଯାୟ ଅନୀତି ଅଧର୍ମ
ପ୍ରକୃତି ଅବଶୋଷଣ
ଚାଲେ ଧର୍ମ ନାମେ ଠକାମୀ ଭଣ୍ଡାମୀ
ପ୍ରବଞ୍ଚିତ ସାଧାରଣ
ମଦମତ୍ତ ଦୁଃଶାସନ
କରେ ଭୂଲୁଣ୍ଠିତ ନାରୀର ମର୍ଯ୍ଯାଦା
ମୁକ ବିଜ୍ଞ ଗୁଣୀ ଜନ ।
ଯୁୁବଶକ୍ତି ସୁପ୍ତ ହୁଏ ନିଶାସକ୍ତ
ପ୍ରଲୁବ୍ଧ ବିପଥଗାମୀ
ବିଫଳ ଯୋଜନା ବାଟମାରଣାରେ
କୃଷି ଅର୍ଥନୀତି ହାନି
ସୃଜି ମିଥ୍ଯା ପ୍ରହେଳିକା
ଲୁଟି ଖାଇଯାନ୍ତି ସବୁ ମହାପାତ୍ରେ
ଗରିବ ଚାହିଁ ଜଳକା ।
ଶେଷ ହଳଧର ସେ ବଡ ଠାକୁର
ବଳରାମ ଶଙ୍କର୍ଷଣ
ଶରଧାବାଲିରେ ଚାରମାଲୁ ଖସେ
ଭୂପତନ ସମ୍ମୁଖୀନ
ଏତ ବଡ ଅଘଟଣ
କରାଏ ସଚେତ ଅଶୁଭ ସଙ୍କେତ
ଧରମ ସଙ୍କଟାପନ୍ନ ।
ନ ବ୍ଯାପୁ ଅସାଧ୍ୟ ରୋଗ ମହାମାରୀ
ବନ୍ଯା ବାତ୍ଯା ଦୁର୍ବିପାକ
ନ କମ୍ପୁ ପୃଥିବୀ ହିମ ଭୂସ୍ଖଳନେ
ଶତ୍ରୁ ନ କରୁ ବିତ୍ପାତ
କୃପାସିନ୍ଧୁ ହଳାୟୂଧ
ବଡପଣେ ପ୍ରଭୁ କ୍ଷମ ଅପରାଧ
ଅଜ୍ଞାନ ଆମ୍ଭେ ଅବୋଧ ।
