କୃଷ୍ଣ ଜନ୍ମ ଚରିତ
କୃଷ୍ଣ ଜନ୍ମ ଚରିତ
କାରାଗାର କକ୍ଷ ଜଗି ରହିଛନ୍ତି ଲକ୍ଷେ ସଶସ୍ତ୍ର ପ୍ରହରୀ
ଦେବକୀ ଗରଭୁ ଜନମ ଲଭିବ କଂସାସୁର ର ବଇରି
ବନ୍ଦୀ ଗୃହେ ବସୁଦେବ
ଦେବକୀ ସହିତ ଲୌହ ସୃଂଖଳରେ ବାନ୍ଧି ଦିଏ ପରାଭବ ।
ଦୈବବାଣୀ ଶୁଣି କଂସାସୁର ବେନି ଜନଙ୍କୁ ରୋଧିଛି ନେଇ
ସନ୍ତାନ ଜନମ ମାତ୍ରକେ ପଲକେ ଡଗର ଖବର ପାଇ
କ୍ଷଣେ ଝପଟି ଆସଇ
ସଦ୍ୟଜାତ ସେହି କଅଁଳ ଶିଶୁ କୁ ଶିଳେ କଚାଡି ମାରଇ ।
ଅଷ୍ଟମ ଗରଭ ଜାତ ପୁତ୍ର ଶତ୍ରୁ ଦୈବବାଣୀ ଶୁଣି ଥିଲା
ସେପାଇଁ ସହସ୍ର ପ୍ରହରୀ ଜଗାଇ ରଖିଅଛି ବନ୍ଦୀଶାଳା
ଭାଦ୍ରବ କୃଷ୍ଣ ଅଷ୍ଟମୀ
ଅର୍ଦ୍ଧରାତ୍ର ଘନ ଗରଜନ କରେ ଜନମିଲେ ବେଣୁପାଣି ।
ନିଦ୍ରା ଦେବୀ ମାୟା ଭୋଳରେ ପ୍ରହରୀ କିଛି ନଜାଣି ପାରନ୍ତି
ଆଜ୍ଞା ପାଇ ବସୁଦେବ ଘେନିଗଲା ପଥେ ଉଗ୍ରସେନ ଭ୍ରାନ୍ତି
ଦୂର କରିଲେ ମାଧୋଇ
ଉଛୁଳା ଯମୁନା ବାଟ ଛାଡିଦେଲା ଗୋପପୁର ରେ କହ୍ନେଇ ।
ଘର୍ମାକ୍ତ କ୍ଳାନ୍ତ ସେ ବସୁଦେବ କୋଳେ ଦେବୀ କାରାଗାର କକ୍ଷ
କୁଆଁ କୁଆଁ ରୋଳ ଚମକ ରଚିଲା ସୁସୁପ୍ତ ପ୍ରହରୀ ବକ୍ଷ
ତରତର ଭୟାତୁର
ପ୍ରହରୀ ସହସା କଂସାସୁରେ ଯାଇ ଜଣାଇଲା ୟେ ଖବର ।
ଗରଜନ କରି ହସ୍ତେ ଖଡ୍ଗଧରି ଉପଗତ ହେଲା ଆସି
କନ୍ୟାକୁ ଦେଖିଣ ଅଶ୍ଚମ୍ଵିତେ ତାର ଆଖି ହୋଇଗଲା ଖୋସି
ଦେବକୀ ବୋଲଇ ଭାଇ
ଅବଳା ଦୁର୍ବଳା ସାମାନ୍ୟ ବାଳିକା କିକରିବ ତୋର ଏହି ।
କିଏ ଜାଣେ ମାୟା ମାୟାବି ଦେବତା କିଅବା ତାହାର ଛନ୍ଦ
ଭୟ ତୁଟିଯିବ ମାରିଦେଲେ ମୋର ଦୂର ହେବ ଭୟ ଦ୍ଵନ୍ଦ
ଆକାଶେ ବୁଲାଇ ଶିଳେ
ହାତୁ ଖସିଯାଇ ଆକାଶେ କହଇ ତାକୁ କଚାଡି ବା ବେଳେ ।
ସାବଧାନ ରୁହ ତୋହର ବଇରି ବଢୁଅଛି ଗୋପପୁରେ
ଚକିତ ହୋଇଲା ଶୁଣିଣ ଅସୁର ଅଥୟ ମନେ ଅସ୍ଥିରେ
ବୁଦ୍ଧି ଦିନୁ ଦିନ ବଣା
ହୋଇଲା ରାକ୍ଷସ ଭାବେ ସ୍ଥିର ହେଲା ମୋହର ମୃତ୍ୟୁ ଠିକଣା ।
