STORYMIRROR

Samita Swain

Tragedy

3  

Samita Swain

Tragedy

କରୋନାରେ ଜୀବନ

କରୋନାରେ ଜୀବନ

1 min
448

କରୋନା ମଣିଷ ଲଢେଇ ଚାଲିଲା 

ମରଣର ଶେଷେ ହୋଇଲା ଜୟ

ଅହରହ ଖାଲି ମଶାଣୀ ଜଳିଲା 

ଦେଖିଲେ ଅନ୍ତରେ ଲାଗିଲା ଭୟ।।


ଜୀବନ ମୃତ୍ୟୁର ଦୋଛକି ଭିତରେ

ନିତି ମରିମରି ବଞ୍ଚେ ମଣିଷ 

ଫିକା ଫିକା ଲାଗେ ଅମୂଲ୍ୟ ଜୀବନ 

ତୁଟି ଯାଏ ସବୁ ଆଶା ବିଶ୍ୱାସ। ।


କରୋନା ରାକ୍ଷସ କାୟାକୁ ବିସ୍ତାରୀ 

ମାଡି ଚାଲିଲା ସେ ଦ୍ରୁତ ଗତିରେ

କେତେ ପରିବାର ନିଶ୍ଚିହ୍ନ କରିଲା

ଏଘରୁ ସେଘର ଡେଇଁ ଡେଇଁରେ।।


କଲବଲ କରି ନେଉଛି ଜୀବନ 

ଆତଙ୍କ ଖେଳାଇ ସାରା ବିଶ୍ୱରେ

କେତେ ଅସହାୟ ଏ ଶ୍ରେଷ୍ଠ ମଣିଷ 

କଲା କର୍ମମାନ ଭୋଗେ ଏବେରେ।।


ଜୀବନ ଜୀବୀକା ଚୁଲିକୁ ଗଲାଣି

ସଂସାରଟା ସାରା ହାହା କାରରେ

ଗୃହେ ବନ୍ଦୀ ହୋଇ ଜୀବନ ବିତଇ

ଦୁଃଖ ବେଳାଭୂମି ଅନ୍ଧକାରରେ।।


ଅତି ଆପଣାର ହୁଏ ସାତପର 

ନଚିହ୍ନିଲା ପରି ରହେ ଦୂରରେ

ଧନମାନସବୁ ଏବେ ମୂଲ୍ୟହୀନ

ଅବରୋଧ ହୁଏ ଦୀର୍ଘଶ୍ୱାସରେ।।


ହୃଦ ବିଦାରକ ଅସହ୍ୟ ସେ ଦୁଃଖ 

ମଣିଷ ଜୀବନ ଶେଷ ପୃଷ୍ଠାରେ

ବ୍ୟାକୁଳ ବ୍ୟଥାର ଆକୁଳ କାହାଣୀ 

ଶୁଣିବାକୁ ଆଉ ଧୈର୍ଯ୍ୟ ନାହିଁରେ।।


ଆତ୍ମବିଶ୍ୱାସର ମୁଁ’କାର ପଣରେ

କରୋନା ସହିତ ସଂଘର୍ଷ କରି

ଅଭାବୀ ମଣିଷ ବିଷାଦ ମନରେ

ଜୀଉଁଛି ଜୀବନ ବାଜିରେ ହାରି।।


ବାପର ଆଗରେ ପୁଅ ଚାଲିଯାଏ

ଚାହିଁଥାଏ ବାପ ଜଳକା ପରି

ସ୍ତ୍ରୀର ମଥାରୁ ସିନ୍ଦୂର ଲିଭଇ 

ସ୍ୱାମୀ ଯାଉଥାଏ ଅଫେରା ପୁରୀ।।


ଲୁହ ବଦଳରେ ଲହୁକୁ ଝରାଇ

ମାଆ ପଣତକୁ ଦିଏ ଭିଜାଇ

ଆଦରି ନିଅଇ ଆତ୍ମ ନିର୍ବାସନ

ଆପଣା ଭିତରେ ସ୍ମୁତି ହଜାଇ।।


ଜୀବନ ଝରିଲା ଅସ୍ତିତ୍ୱ ହଜିଲା

ଉଚ୍ଛନ୍ନ ହୋଇଲା ଯତ୍ନର ନୀଡ

ଅନାଥ ହୋଇଲେ କେତେ ଯେ ବାଳୁତ

ଭାଙ୍ଗିଗଲା ତାଙ୍କ କଅଁଳ ହାଡ।।


ଅଦୃଶ୍ୟ ଭୃତାଣୁ ରଚିଲା ତାଣ୍ଡବ

ଅନ୍ଧାର ଘୋଟିଲା କାଳ କବଳେ

ମୃତ୍ୟୁର ଅନଳ ଦହିଲା ଦେହକୁ

ବିଶ୍ୱଗ୍ରାସୀ ମାୟା ଭୋକ ଭୂଗୋଳେ।।


ବିଚଳିତ ଏବେ ମଣିଷ ଜୀବନ

ସବୁଠି ଭେଜାଲ ପାଣି ପବନ

କରୋନାର ଏହି କରୁଣ କାହାଣୀ

ଶୁଣିଥିଲା କେବେ କାହାର କାନ.... ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy