କରିବ ଇଚ୍ଛା ପୂରଣ
କରିବ ଇଚ୍ଛା ପୂରଣ
ଅର୍ଥ ବାହୁବଳ ଅବା କ୍ଷମତାରେ ବଳୀୟାନ
ପାରେ ନାହିଁ ଚିହ୍ନି କେବେ ମହତ ଓ ମାନ
ଭିଡି କଳ କଉଶଳେ ନିଜ ହାତ ମୁଠା ମଧ୍ଯେ
ରଖିବାକୁ ଚାହେଁ ସିଏ ଉଚ୍ଚ ପଦବୀ ସମ୍ମାନ ।
ବିଶ୍ବାସ ସମାଜ ସେବା ସୁସଙ୍କଳ୍ପ ଆଦର୍ଶକୁ
ସହଜେ ସେ ପାଦତଳେ ଦଳି ଓ ଚକଟି
ବଢାଏ ନିଜର ପୁଞ୍ଜି ମାଳ ମାଳ କୋଠାବାଟି
ସଞ୍ଚେ ସାତ ପୁରୁଷକୁ ଶୋଷି ରକ୍ତ କାଟି କାର ତଣ୍ଟି ।
ଆଦିଦେବ ସନାତନ ସର୍ବଜ୍ଞାତା ହେ ଅନନ୍ତ
ପରମ ପୁରୁଷ ତୁମେ ଜଗନ୍ନାଥ ପୁରୁଷ ଉତ୍ତମ
ଜଗତର କଣେ କଣେ ପରିବ୍ଯାପ୍ତ ଭଗବାନ
ସର୍ବାତ୍ମାରେ ବିରାଜିତ ପରିପୂର୍ଣ୍ଣ ସର୍ବଶକ୍ତିମାନ ।
ଅଭୟ ଶ୍ରୀପଦାରବିନ୍ଦେ ସବିନୟ ନିବେଦନ
କୋଟି କୋଟି ପ୍ରଣିପାତ ଭକ୍ତି ସମର୍ପଣ
ଉଦ୍ଧର ପତିତଜନେ ନଦିଅ ଦୁଃଖ କଷଣ
ଫୁଟାଅ ହସ ତା ମୁଖେ ଇଚ୍ଛା ତାର କର ହେ ପୂରଣ ।
