କୋଣାର୍କ
କୋଣାର୍କ
ଭଗ୍ନ କୋଣାର୍କ ଯେ ଅପୂଜା ଦେଉଳ
ଆଶା ନୃପତିଙ୍କ ହେଲାନି ସଫଳ।
ଉଦୟ ମଧ୍ୟାହ୍ନ ଅସ୍ତଗାମୀ ରବି
ସ୍ଥାପିଲେ ସେ ତିନି ଦିଗେ ଭାବି ଭାବି।
ମୁଗୁନି ଔପଳେ ଗଢିଥିଲେ ଶିଳ୍ପୀ
କଳାପାହାଡ଼ ଯେ ହୋଇ କ୍ଷୀଣ କୋପୀ।
ସବୁ ପ୍ରତିମାଙ୍କୁ ଭାଙ୍ଗିବାକୁ ଯାଇ
ଅର୍ଦ୍ଧ ଭଗ୍ନ କରି ଗଲା ସେ ପଳାଇ ।
ମୁଖଶାଳା କିନ୍ତୁ ସୂର୍ଯ୍ୟଙ୍କୁ ଅନାଇ
ସବୁ କାହାଣୀ ର ମୁକସାକ୍ଷୀ ହୋଇ।
ଉଦାର ପଣେ ସେ ସଭିଙ୍କୁ ଆଦରେ
ବଡ ସାନ କେହି ନୁହେଁ ତା ପାଖରେ ।
ମୁଖଶାଳା ଗଢା ତିନି ସ୍ତର ହୋଇ
ପ୍ରଥମ ସ୍ତରଟି ଶିଶୁଙ୍କର ପାଇଁ ।
ଦ୍ୱିତୀୟ ସ୍ତରରେ କାମପୂର୍ଣ୍ଣ ଛବି
ଯୁବକ ମସ୍ତିଷ୍କେ ଯାଏ ପୁଣି ଦ୍ରବି।
ଶେଷ ସ୍ତରେ ଛନ୍ତି ସୁନ୍ଦର ତରୁଣୀ
ହାତେ ତାଙ୍କ ଅଛି ମୃଦଙ୍ଗ ଖଞ୍ଜଣି।
ପ୍ରୌଢ ମାନେ ଦେଖି ଭାବେମଜ୍ଜି ଯାନ୍ତି
ନାମ ସଂକୀର୍ତ୍ତନ ମହତ୍ତ୍ଵ ବୁଝନ୍ତି ।
ଜୀବନର ଶେଷ ପଥ ସେ ଦେଖାଏ
ମୃତ୍ୟୁ ଚିରନ୍ତନ ବୋଲି ସେ ସୂଚାଏ।
ସ୍ଥାନୀୟ ଲୋକ ଯେ ସାଜି ମାର୍ଗଦର୍ଶୀ
କୋଣାର୍କ କୁ ନେଇ ହେଉଛନ୍ତି ପୋଷି।
ତା ଗାଥା ବୁଝାନ୍ତି ବିଭିନ୍ନ ଭାଷାରେ
ସେହି ସଂଭାଷଣ ଜନ ମନ ହରେ।
ସ୍ଥାନୀୟ ଲୋକଙ୍କ ସୁଖଦେଖିବାକୁ
ଶକ୍ତ କଲା ପୁଣି ତା ଆପଣା ବୁକୁ।
ମନ୍ଦିର ବିରହ ଦୁଃଖ ଭୁଲି ଯାଇ
ପୁତ୍ର ସମ ସର୍ବଜନ ସେ ପାଳଇ ।
ବିଶ୍ବ ଐତିହ୍ୟ ର ମାନ୍ୟତା ପାଇଣ।
ହରୁ ଥାଏ ସଦା ସେହୁ ଜନମନ।
ଝଡି ଝଡି ଚାଲେ ତା ବକ୍ଷୁ ପଥର
କେତେ ପ୍ରତିମୂର୍ତ୍ତି ନେଲେଣି କବର।
କେ ବୁଝିବ ତାର ଅନ୍ତର ର କୋହ
କେ ପାରିବ ରୋକି ତା ପଥର କ୍ଷୟ ।
ରକ୍ଷଣାବେକ୍ଷଣ ନିତି ଚାଲୁଅଛି
ସାଧା ପଥର ତ ଯୋଡେଇ ହେଉଛି।
କାରୁକାର୍ଯ୍ୟ ସବୁ ଲୋପ ପାଉଅଛି।
ଲୌହବାଡ ତାକୁ ଘେରି ରହିଅଛି ।
ଅଛି ସେ କୋଣାର୍କ ନାହିଁ ତାର ପ୍ରାଣ
ଲାଗୁଅଛି ସତେ ଜୀବନ୍ତ ପାଷାଣ।
ଶହ ଶହ ବିଶୁ ଥାଇ ଲାଭନାହିଁ
କୋଣାର୍କ ଯାଉଛି ଶିରୀହିନ ହୋଇ।
ମୋହଗ୍ରସ୍ତ ଆଜି ମୋହର ଏ ଜାତି
ଜାଗି ଉଠ ରଖ ଧରମାର କୀର୍ତ୍ତି ।
ଭଗ୍ନ କୋଣାର୍କ ଯେ ଆମରି ନିଜର
ବେଳ ଥାଉ ଦେବା ତା ପ୍ରତି ନଜର।
