କମଳା ଗଛ
କମଳା ଗଛ
ଆମ ବାଡି ପଟେ ମନେ ପଡେ ଗୋଟେ
କମଳାଗଛର କଥା,
ପିଲାବେଳେ କଷି କମଳା ଛିଣ୍ଡାଉ
,ଖାଇବାକୁ ମନ ବ୍ୟଥା।
ଅଛୁଆଁ ଜାତିର ଲୋକକୁ ଡକେଇ
ଭଙ୍ଗା ହାଣ୍ଡି ଗଚ୍ଛେ ଢାଙ୍କି,
ଗଛକୁ ଛୁଇଁଲେ ଜାତି ଚାଲିଯିବ
ଜେଜେ ଦେଇଥିଲେ ଫାଙ୍କି ।
ଭାଇମାନେ କେହି ଛୁଇଁଲେନି ଗଛ
ପଇତା ହୋଇବ ମାରା,
ଗୋବରଜଳରେ ମାର୍ଜନା କରିଲେ
ତେବେ ଜାତି ଦେବ ଧରା।
ମାସକ ଭିତରେ ପାଚିଲା କମଳା
ଲଦିଗଲା ଗଛ ସାରା,
ସାଙ୍ଗ ସାଇ ଭାଇ ଦେଖୁଥିଲେ ଯାଇଁ
ତୋଳିବାକୁ ନାହିଁ ଚାରା।
ଟଙ୍ଗା ହୋଇଅଛି ଅଛୁଆଁ ଖପରା
ଛୁଅନ୍ତିନି ଗଛ କେହି,
ଏକୁଟିଆ ଦେଖି ଖସେଇଲି ଛକି
ଆଙ୍କୁଡ଼ିରେ ହାଣ୍ଡି ସେହି।
ରହିଲାନି ଗଛ ଦେଖି ଆଗପଛ
ତୋଳିଲି କମଳା ଯେତେ,
ଗୋଟିଗୋଟି କରି, ବାଣ୍ଟିଲିଟି ଧରି
ଗଣିନାହିଁ ସବୁ କେତେ।
ସାଇଭାଇ ଦେଇ ଯେତେ ତୋଳି ନେଇ
ସେତେବି ଲଦିଛି ଫଳ ,
ଡାଇ ଦୋହଲୁଛି, ସୁନା ଝଟକୁଛି
ଗଛଟିର କେତେ ବଳ।
ଛୁଆଁ ଅଛୁଆଁରେ ଅଛିକି ଗଛରେ
ପଶୁ ପକ୍ଷୀ ନଦୀ ନାଳ ,
ଆସେ ମନେ ଖେଦ ଉଚ୍ଚ ନୀଚ ଭେଦ
ମଣିଷର ସ୍ୱାର୍ଥ ଚାଲ।
