ମୁଠାଏ ଆପଣାପଣ
ମୁଠାଏ ଆପଣାପଣ
ମୁଠାଏ ଆପଣାପଣକୁ
ହାତ ପାପୁଲିରେ ଧରେଇଦେଇ
ଅବ୍ୟକ୍ତ ଆବେଗ ସବୁକୁ
ଆଲିଙ୍ଗନ କରିବାକୁ କହି
ହଜିଯାଅ ତୁମେ ।
ନୂଆ ରଙ୍ଗରେ ରଙ୍ଗୀନ ମନଟା
ଅବୁଝା ହୋଇ
ଏଣେତେଣେ ଘୁରିବୁଲେ
ତୁମର ଠିକଣା ପାଇଁ
ହତାଶ ହୋଇଯାଏ
ତଥାପି ହାରେନା ସ୍ୱପ୍ନ ।
କେବେ କଳ୍ପନାରେ କେବେ ବାସ୍ତବରେ
ଅଧିକାର ପାଇଁ
ଅଭିମାନର ପାହାଡ଼ ଉପରେ ବସି
ପ୍ରତିଟି ମୁହୂର୍ତ୍ତରେ
ଅପେକ୍ଷା କରିଥାଏ ହୃଦୟ ।
କହିପାର ସ୍ୱାର୍ଥ
କହିପାର ନିରର୍ଥକ
ଦେଇପାର ଛଳନାର ନାମ
ବିଚରା ଜୀବନ
ବିଶ୍ୱାସକୁ ଏଡାଇ ପାରେନା ।
କିନ୍ତୁ
ତୁମେ
ସତରେ ଭାରି ଅଜବ
ଅଦୃଶ୍ୟରେ ଛୁଇଁଯାଅ ସ୍ମୃତି ହୋଇ
ଥରାଇଦିଅ ଛାତିକୁ ।
ସିକ୍ତ କରିଦିଅ ଅଭିମାନର
ତତଲା ଭାବନା ଗୁଡିକୁ
ନିମିଷେ ପୋଛିଦିଅ
ଉଇଁଆସୁଥିବା କୋହକୁ ।
ସମର୍ପଣରେ ମହକି ଉଠେ
ଅସ୍ତିତ୍ୱ ବିହୀନ ସମ୍ପର୍କ
ଚିମୁଟାଏ ଆଶାର ଆଲୋକରେ
ହଟିଯାଏ ଗାଢ଼ ଅନ୍ଧାର ଭିତରେ
ଅସ୍ତବ୍ୟସ୍ତ ହୋଇପଡୁଥିବା
ସମୟ ।
