ଶୀତ
ଶୀତ
ଧରିତ୍ରୀ କୋଳକୁ ଆସିଅଛି ଶୀତ
ଅସରନ୍ତି ଖୁସି ନେଇ
କାର୍ତ୍ତିକ ବ୍ରତର ଧରମ କରମ
ପୁଣ୍ୟ ପବିତ୍ରତା ପାଇଁ ।
ଶୀତୁଆ ସକାଳେ ଘଣ୍ଟ କାହାଳୀରେ
ରାମ କୃଷ୍ଣ ଶବଦରେ
ଗଗନ ପବନ ମୁଖରିତ ଶାନ୍ତି
ଦିବ୍ୟସତ୍ତା ଚେତନାରେ ।
ଲହରୀ ଖେଳୁଛି ସୁନାର ଫସଲ
ଚାଷୀ ମୁଖେ ମହାନନ୍ଦ
ଅମଳ କରିବ ଗୋଟି ଗୋଟି କରି
ଅମୂଲ ମୂଲ ସମ୍ପଦ ।
ଭକତି ଚିତରେ ସମର୍ପିବ ନେଇ
ମହାଲକ୍ଷ୍ମୀ ପଦପ୍ରାନ୍ତେ
ଧନଧାନ୍ୟ ବସ୍ତ୍ର ସୁଖ ଅଈଶ୍ୱର୍ଯ୍ୟ
ମାଗିବ ସଂସାର ହିତେ ।
ବାଡ଼ି ବଗିଚାରେ ଗେଣ୍ଡୁର ଆସର
ମାଆଙ୍କ ବନ୍ଦନା ପାଇଁ
ଝୋଟି ଚିତା ସାଥେ ସଜ୍ଜିତ ହୋଇବ
ପ୍ରତି ଘର ଶୁଦ୍ଧ ହୋଇ ।
ଜାତି ଜାତି ଫଳ ପନିପରିବାରେ
ହସିଲାଣି ବସୁନ୍ଧରା
ନାନା ରଂଗୀ ଫୁଲ ପୁରି ତା'ର କୋଳ
ଲାଗୁଅଛି କେଡେ ତୋରା ।
ଦେଇଥାଏ ଶୀତ ଶରୀରକୁ କଷ୍ଟ
ମନେ ଭରିଥାଏ ଖୁସି
ପରବ ପର୍ବାଣୀ ଫୁଲ ଫଳ ସାଥେ
ଭେଟିଦିଏ ଶସ୍ୟରାଶି ।
