ସଫା ରଖ ପରିବେଶ
ସଫା ରଖ ପରିବେଶ


ଆମ ପରିବେଶ ହୋଇଛି ଦୂଷିତ,
ସେଥିପାଇଁ ଆମେ ଦାୟୀ ।
ଅନ୍ୟର ଦୋଷଟା କାହିଁ ଦେବା ଆମେ,
ନିଜ ଦୋଷକୁ ଲୁଚାଇ ।।
ବଜାରରୁ ଆମେ କିଣୁଛୁ ଜିନିଷ,
ଜରି ଫିଙ୍ଗି ଏଣେତେଣେ ।
ସେହି ଜରି ପୁଣି ମାଟିକୁ ବିପଦ,
ଏକଥା କିଏ ନ ଜାଣେ ?
ଜରିଗୋଟାଳିଟେ ସେସବୁ ଜରିକୁ,
ଖୋଜି କି ସାଉଁଟି ନିଏ ।
ଅନ୍ୟ କାହାକୁ ସେ ସ୍ୱଳ୍ପ ପଇସାରେ,
ପେଟ ପାଇଁ ବିକିଦିଏ ।।
ତା ପାଇଁ କେବଳ ଆମ ପରିବେଶ,
ହୁଅଇ ସଫାସୁତୁରା ।
ଏ ମହାନ କାମ ଆମ ଏ ଆଖିକୁ,
ନିଚ୍ଚ କାମ ଲାଗେ ପରା ।।
ଜରିଗୋଟାଳିଟେ ଆମ ଘର ପାଖୁ,
ଜରିକୁ ସାଉଁଟେ ଯେଣୁ ।
ମୃତ୍ତିକା ପାଇଁ ସେ କରେ ଉପକାର,
ଦେବଦୂତ ସମ ତେଣୁ ।।
ଜରିଗୋଟାଳିକୁ ଦିଅ ହେ ସମ୍ମାନ,
ନ କରିଣ ଉପହାସ।
ତା ଠାରୁ ଶିଖ ଏ ମହତ ପଣିଆ,
ସଫା ରଖ ପରିବେଶ ।।