କଳା ମେଘ
କଳା ମେଘ
ତୁମ ରୂପ କେତେ ଗାଇବି ମେଘଗୋ
କହିବି ମନର ଭାଷା
ଭିଜା ମାଟି ଗନ୍ଧ ଉଛୁଳଇ ବନ୍ଧ
ଭଲଲାଗେଏ ପରଷା।
ଝିପିରି ଝିପିରି ବେଳେ ଟୁପୁ ଟିପୁ
ଘଡ଼ଘଡି ସାଥେ ଉଭା,
ତାଳେ ତାଳେ ନାଚି ପରାଣ ଦହୁଛ
ଝରଇ ଶ୍ରାବଣୀ ଗଭା।
ପାହାନ୍ତିଆ ନିଦ ପରି ମିଠା ଲାଗ
ତପୋବନ ଚମ୍ପା ବାସ
ପ୍ରେମ ପାଠ ସବୁ ପଢାଅ ମିତଣୀ
ଯମୁନା କୂଳରେ ରାଶ।
ନଈରେ ନାଉରୀ ନାୟିକାକୁ ଧରି
କ୍ଷେତରେ ଭିଜୁଛି ଚାଷୀ
ପାହାଡ଼ ପର୍ବତ ଜଙ୍ଗଲ ହରସ
ସରସ ପାଦପ ଲତା
ଟିକି ଟିକି ଘାସ ଉପରେ ସାଧବ
ବାହାରେ ବୁଲୁଛି ଛତା।
ବେଙ୍ଗ ବେଙ୍ଗୁଳିଙ୍କ ହୁଳହୁଳି ଶୁଣି
ଡାହୁକ ଦିଅଇ ରଡି
ବଗ ମାଳ ମାଳ ପାଚି ଝଡ଼ି ତାଳ
ନଈରେ ଆସଇ ବଢି।
ପିଲାମାନେ ବସି କାଗଜରେ ହସି
ବନେଇ ଆଣିଲେ ଡଙ୍ଗା
ପାଣିର ସୁଅରେ ଭସେଇ ରୁହରେ
ଭାସିଯାଏ ବଙ୍କାଟଙ୍କା।
ପାହାଡ଼କୁ ଛୁଇଁ ଲଟିଖାଏ ମେଘ
ଆକାଶରେ ଇନ୍ଦ୍ରଧନୁ
ଅପୂର୍ବ ସମ୍ବାର ପ୍ରକୃତି ସାମ୍ରାଜ୍ୟ
ଭୂଲି ହୁଏ ନାହିଁ ମନୁ।
