କି°କର୍ତ୍ତବ୍ୟ
କି°କର୍ତ୍ତବ୍ୟ
ଦୁଃଖ ଲାଗେ ଦେଖି ପ୍ରିୟ ପରିଜନ
ଦୁର୍ଗୁଣ ଦୁର୍ବ୍ୟବହାର
ବୁଝନ୍ତି ନାହିଁ ସେ ସମ୍ବନ୍ଧ ସମ୍ପର୍କ
ବଦ୍ଧମୂଳ ଅହଂକାର ।
ଅର୍ଥର ଲାଳସା ରୂପ ମୋହବଶେ
ପାଲଟି ଯାଆନ୍ତି ଅନ୍ଧ
ସ୍ୱାର୍ଥ ସିଦ୍ଧି ପାଇଁ ବିଚିତ୍ର ପ୍ରକୃତି
ପୟ ମୁଖ ବିଷ କୁମ୍ଭ ।
ସ୍ନେହ ପ୍ରେମ ତ୍ୟାଗ କର୍ତ୍ତବ୍ୟ ଦାୟିତ୍ୱ
ମନରୁ ଯାଆନ୍ତି ଭୁଲି
ଉତ୍ତାର ହୁଅନ୍ତି ଉଦ୍ଧତ ସ୍ୱଭାବେ
ପ୍ରକୋପେ ଉଠନ୍ତି ଜଳି ।
ଆପଣା ଲୋକଙ୍କୁ ସାତପର ଭାବି
ଦେଇଥାନ୍ତି ନିର୍ଯାତନା
ଦେଖାଇ ହୁଅନ୍ତି କୋମଳ ମଧୁର
ହୃଦୟଟି ବିଷ ଭରା ।
କହନ୍ତି ନିର୍ଲଜେ ବୃଦ୍ଧ ମାତାପିତା
ରୁହ ଅନ୍ୟତ୍ର ପୃଥକ
ଦେଇଦିଅ ସବୁ ଧନ ଓ ସମ୍ପତ୍ତି
ସଞ୍ଚିଥିବା ଅର୍ଥ ଯାକ ।
ପରିଣତ କାଳେ ବୟବୃଦ୍ଧ ଜନ
ହୋଇଥାନ୍ତି ହନ୍ତସନ୍ତ
ଅଜାଗା ଘାଆକୁ ଦେଖି ହୁଏ ନାହିଁ
ଦେଖାଇ ହୁଏନି ସତ ।
ଘର ଢ଼ିଙ୍କି ଯଦି ପାଲଟେ କୁମ୍ଭୀର
ବାଡ଼ ଖାଇଯିବ ଖେତ
ଜୀବନ ହୋଇବ ନର୍କ ଦୁର୍ବିସହ
ଅଳ୍ପାୟୂଷ ସୁନିଶ୍ଚିତ ।
ଭସ୍ମାସୁର ପ୍ରାୟ ହୋଇ ବରପ୍ରାପ୍ତ
ଇତର ଉନ୍ମାଦଗ୍ରସ୍ତ
ପାଶୋରି ଯାଆନ୍ତି କିଏ ଭଗବାନ
ବୁଲାନ୍ତି ମୁଣ୍ଡରେ ହାତ ।
ଯେ ପକ୍ଷୀ ଯେପରି ବାନ୍ଧେ ସେହିପରି
ଦଳବଳ ବନ୍ଧୁ ସଖା
ସମ୍ପଦର ବେଳେ ଥାଆନ୍ତି ଦୁର୍ଜନେ
ବିପଦେ ନ ଥାଏ ଦେଖା ।
ଅସଭ୍ୟ ପାଶ୍ଚାତ୍ୟ କୁଶିକ୍ଷା ପ୍ରଭାବେ
ପାରିବାରିକ ସ°ସ୍କୃତି
ଦିନୁ ଦିନ ହୁଏ ନଷ୍ଟ ଅବକ୍ଷୟ
ଆର୍ଯ୍ୟ କି°କର୍ତ୍ତବ୍ୟ ସ୍ଥିତି ।
ନିଜେ ବଞ୍ଚିରହି ଅନ୍ୟେ ବଞ୍ଚାଇବା
ଅଟେ ଜୀବନର କଳା
ବୁଝେ ନାହିଁ ମୂଲ୍ୟ ଅଧମ ନିର୍ବୋଧ
କଳିକାଳ ଘୋର ଲୀଳା ।
ଜୀଇ ଥାଉ ଥାଉ ନ ମରୁ ମଣିଷ
ନଷ୍ଟଗତି ଦୁର୍ଭାବନା
ଈଶ୍ୱର କରନ୍ତୁ ସୁବୁଦ୍ଧି ବିଶ୍ୱାସେ
ସୁରକ୍ଷା ହେଉ ଦୁନିଆଁ ।