କିଛି କିଛି
କିଛି କିଛି


କିଛି କଥା କହି ହୁଏ, କିଛି ମନରେ ରହିଯାଏ,
କିଛି ଲୁହ ବହିଯାଏ, କିଛି ପୁଣି ଓଠ ପିଇଯାଏ |
ମୁଁ ଏମିତି କଥା ଅଟେ, ସବୁ କିଛି ରଖେ ଧରି,
ଯେମିତି ଏହି ନିରିମାଖି ଆଖି, ଲୁହକୁ ରହିଥାଏ ପୁରି |
କିଛି କିଛି ଭାବ ଲୁଚିଥାଏ, ଏହି କଥାର ଭିତରେ,
କେବେ ବୁଝି ହୁଏ ହସରେ, କେବେ ବହିଯାଏ ଲୁହରେ |
ସେହି କିଛି କିଛି ଭାବ, କହୁଥାଏ ଏହି ମନକୁ,
ଶାନ୍ତ ହୋଇ ଟିକେ ଧରିବାକୁ ଏହି ଅବୁଝା ଲୁହକୁ |
କେହି କେବେ ଜାଣେ ନାହିଁ, ବୁଝିବ ବା କେମିତି ?
ଏହି କିଛି କିଛି ଭାବକୁ, କିଏ ରଖିଥଲା ସାଇତି ?
ଏତେ ସବୁ ପ୍ରଶ୍ନ ଯେବେ ଆସି ସେଠାରେ ଉଙ୍କିମାରେ,
ମନର ସେହି କିଛି କିଛି ଭାବ, ନିଜକୁ ପଚାରେ |
କେମିତି ତାର ଭଲା ହେଲା, କିଛି କିଛି ଉତ୍ପତି,
କାହିଁକି ରହିଲା କଥାରେ,ଦେଲା ଅବୁଝା ଲୁହକୁ ପ୍ରୀତି ?
ଟିକେ ରହି ପୁଣି ସିଏ କିଛି କିଛି
ଜାଣିଲା,
ତାର ଉତ୍ପତିର ରହସ୍ୟ ଏବେ ସବୁ ସିଏ ବୁଝିଲା |
ଧୀରେ ଧୀରେ ଏବେ ସିଏ କିଛି କିଛି କହୁଛି,
ଏହି ସୁନ୍ଦର ପ୍ରକୃତିକୁ ଯେବେ କୋମଳ ଆଖି ଦେଖିଛି |
ସେବେ ସେହି ସୁନ୍ଦରତା ତାକୁ ମୋହେ ବଶକଲା,
ଅଜାଣତରେ ଏହି କିଛି କିଛି ଭାବକୁ ଜନ୍ମଦେଲା |
ତେବେ ଯାଇ କିଛି କିଛି ଭାବ ଶବ୍ଦରୁପ ନେଲା,
କିଛି ପୁଣି କହିହେଲା କିଛି ଲୁଚି ରହିଗଲା |
ସେଥିରୁ ଯାହା କଥାହୋଇ କିଛି ସ୍ୱରୂପ ପାଇଲା,
କିଛି କିଛି ଶବ୍ଦରେ ପ୍ରକଟି କବିତା ସୃଷ୍ଟିକଲା |
ଆଉ ଯେଉଁ କିଛି କିଛି ଭାବ ସବୁ ଥିଲା,
ଲୁଚିରହି ସବୁ, ଲୁହ ହୋଇ ବହିଗଲା |
ଏବେ କୁହ ତୁମେ, ଏତେ ପ୍ରଶ୍ନ ବୁଝି ହେଲା,
ଏହି କିଛି କିଛି ଭାବ, ସବୁର ଉତ୍ତର ଦେଲା |
ଏମିତି ସଦା ଏହି କିଛି କିଛି ଭାବ ଆସୁଥାଉ,
କଥା ଅବା କବିତା ଅବା ଲୁହର ରୂପ ନେଉଥାଉ |