ଖିଆଲି ସ୍ବପ୍ନ
ଖିଆଲି ସ୍ବପ୍ନ
ମୁଁ ଏକ ଅଭୁଲା ସ୍ମୃତି,
ଫୁଲେଇ ଫଗୁଣ,
ପ୍ରୀତି ର ମହକ,
ପ୍ରେମର ମଧୁର ଗୀତି ।
ମୁଁ ସରସୀ ର ନୀଳ କଇଁ,
ବାଦଲ ଫାଙ୍କରୁ,
ଚାନ୍ଦର ଜୋଛନା,
ପାରିବକି ମତେ ଛୁଇଁ ।
ମୁଁ ତ ଲାଜକୁଳୀ ଲତା,
ଝାଉଁଳି ପଡିବି,
ଛୁଇଁଦେଲେ କେହି,
କିଏ ବୁଝିବ ମୋ ବ୍ୟଥା ।
ମୁଁ ତ ଗୋଲାପର କଳି,
ପ୍ରୀତିର ଆଲେଖ୍ୟ,
ପ୍ରେମର ସନ୍ତକ,
ଲାଜରେ ସରମି ଗଲି ।
ମୁଁ ଯେବେ ଜହ୍ନର ଜୋତ୍ସ୍ନା
ଶୀତଳତା ଭରେ,
ଫୁଲକୁ ଛୁଇଁଲେ,
ଛୁଟାଏ ମହକ ବାସ୍ନା ।
ମୁଁ ତ ଏକ ଚମ୍ପା ଫୁଲ,
ସୁନେଲି ରଙ୍ଗର,
ରୂପର ପସରା
କିଏ ଦେବ ମୋର ମୂଲ ।
ମୁଁ ତ ସନ୍ଧ୍ୟାଧୂପ ହୋଇ,
ଜଳି ଜଳି ଯାଏ,
ନିଃଶେଷ ବି ହୁଏ,
ମହକିତ ବାସ୍ନା ଦେଇ ।
ମୁଁ ରଜନୀଗନ୍ଧାରବାସ,
ସ୍ନିଗ୍ଧ ମହକିତ,
ପ୍ରୀତି ର ପାଖୁଡା,
ଫଗୁଣ ର ଲାଜ ହସ ।
ମୁଁ ଏକ ବନ ଝରଣା,
ନାଚି ନାଚି ଯାଏ,
ଏଣେତେଣେ ଧାଏଁ,
କେବେ ହୁଏ ବାଟବଣା ।
ମୁଁ ତ ଖିଆଲି କଳ୍ପନା
ଭାବ ପ୍ରବଣତା,
ସ୍ୱତନ୍ତ୍ର ନିଆରା,
ସମ୍ପର୍କ ଫୁଲର ବାସ୍ନା ।
ମୁଁ ଜଳନ୍ତା ଦୀପ ଶିଖା,
ତମସା ର ତୀରେ,
ଅନ୍ଧାର ଦୁରେଇ,
ଦେଖାଏ ଆଲୋକରେଖା ।