କହି ହୁଏନା
କହି ହୁଏନା
ନିଜ ମନ କଥା ସମସ୍ତଙ୍କ ଆଗେ
କହି ବି ତ କେବେ ହୁଏନା
ଯେତେ ସେ ନିଜର ହେଉ ଆପଣାର
ପାଟିଟି କେବେ ବି ଖୋଲେନା ।
ମନର ଭିତରେ ଭୟ ଖାଇଯାଏ
କିଛି କହି ସିଏ ପାରେନା
ବାହାରେ ପ୍ରଘଟ ଅଧିକ ବିପଦ
ସେ ଲଜ୍ଜାରେ କିଛି କୁହେନା ।
କିଛିଟା ଜୀବନ ରହସ୍ୟର କଥା
ଖୋଲି କହି କେବେ ହୁଏନା
ଚକ୍ରାନ୍ତ ଜାଲରେ ଛନ୍ଦି ହେଇ ସିଏ
ଚାହିଁଲେ ବି କହି ପାରେନା ।
ଯନ୍ତ୍ରଣା ଜୁଈରେ ଜଳୁଥାଏ ସିନା
ମୁହଁ ଖୋଲି କେବେ କୁହେନା
ଛଟପଟ ହୁଏ ଲୁହ ପିଉଥାଏ
ତଥାପି ମୁହଁ ସେ ଖୋଲେନା ।
ପରିବାର ଖୁସି ସୁଖ ଶାନ୍ତି ପାଇଁ
କାହାକୁ କଷ୍ଟ ସେ ଦିଏନା
ସେଇ କଷ୍ଟ ନିଜ ଭିତରେ ରଖେ ସେ
କାହାକୁ ସେ କହି ପାରେନା ।
ପତି ପତ୍ନୀଙ୍କର ଭିତର କଥାଟି
ବାହାରେ ପ୍ରକାଶ ହୁଏନା
ଆଜି ନାହିଁ କାଲି ହୋଇବେ ଏକାଠି
ଏ କଥାଟି ଛପି ପାରେନା ।
ଅପମାନ କିଏ କୋଉଠି ପାଇଲେ
ସେ କଥାଟି କହି ହୁଏନା
କାହା ଦୋଷ ନିଜ ମଥାକୁ କେ ନେଲେ
ସେ କଥା ସେ କହି ପାରେନା ।
ଜୀବନ ସହିତ ମରଣ ଜଡିତ
କଥାଟି ତ କହି ହୁଏନା
ବିପଦରୁ ଯଦି ଉଦ୍ଧାର ନ କର
ସେ କଥା ପ୍ରକାଶ କରନା ।
ନିଜ ମନ କଷ୍ଟ ଦୁଃଖ ଯନ୍ତ୍ରଣାକୁ
କାହାକୁ ତ କହି ହୁଏନା
ଅତି ଆପଣାର ନିଜର ନ ହେଲେ
ଆଖି ଲୁହ କେବେ ଝରେନା ।
ମନକୁ ମରମ କଥାଟି ବାଧିଲେ
ସେ କଥାଟି କହି ପାରେନା
ନିଜ ଲୋକ ଯେବେ ଧୋକା ଦେଇ ଥାଏ
ସେ କଥା ବି କହି ହୁଏନା ।
ବିଶ୍ବାସୀ ଳୋକଟି ବିଷ ଭରେ ଯେବେ
ସେ କଥାଟି ଭୁଲି ପାରେନା
ନିଜ ଲୋକ ନିନ୍ଦା ଅତ୍ୟାଚାର କଲେ
ସେ କଥାଟି କହି ହୁଏନା ।
ବିଶ୍ବାସ ଘାତକ ବେଇମାନୀ କଲେ
ସିଏ କେବେ ଭୁଲି ପାରେନା
ଆପଣାର ଲୋକ ଘୃଣାଟି କରିଲେ
କାହାକୁ ତ କହି ହୁଏନା ।
କର୍ମରେ ସଫଳ ନ ହେବା ପର୍ଯ୍ୟନ୍ତ
କଥାଟି ଯେ କେବେ କୁହନା
ବିଶ୍ବାସରେ ଯିଏ କହି ଥାଏ କିଛି
ସେ କଥାଟି କହି ହୁଏନା ।
ଚୋରି ଦାରୀ ନାରୀ ପାପ ପୁଣ୍ୟ କଥା
ଅଛପା ବି କେବେ ରହେନା
ମନର ତଳର ହୃଦୟ ବେଦନା
କାହାକୁ ତ କହି ହୁଏନା ।
ସ୍ବାର୍ଥପର ଏଇ ମଣିଷ ସମାଜ
ସ୍ବାର୍ଥକୁ ସେ ଛାଡି ପାରେନା
ଦୁଃଖୀ ମଣିଷଟି ଦୁଃଖର କଥାଟି
କାହାକୁ ତ କହି ହୁଏନା ।