ଖେଳ
ଖେଳ
ଆସରେ ପିଲେ ପଢିବା ଆମେ ଖେଳିଖେଳିକି,
ନାଚିଗାଇକି ଶିଖିବା କଥା ଭେଳି ଭେଲିକି |
ଖେଳ ମଧ୍ୟରେ ସବୁକାମ ଲାଗେ ଆନନ୍ଦମୟ,
ଖେଳ ହିଁ କରେ ସୁନ୍ଦର ସ୍ୱାସ୍ଥ୍ୟ, ସୁସ୍ଥ ହୃଦୟ |
ଏ ଦୁନିଆ ହେଲେ ଖେଳପଡ଼ିଆ, ଖେଳାଳୀ ଆମେ,
ଜୀବନେ କେତେ ଖେଳିଛୁ ଖେଳ ରଖୁନା ମନେ |
ହାରିବା ସହ ଜିତିବା ଥାଏ ସବୁ ଖେଳରେ,
ବିଜେତା ସିଏ, ନିଷ୍ଠାର ସହ ଯେ ଖେଳେ ମେଳରେ |
ଖେଳ ରହିଛି ଭିନ୍ନ ବୟସେ ଭିନ୍ନ ପ୍ରକାର,
ଶିଶୁ ବେଳରେ, ଖେଳ ତାହାରj କଣ୍ଢେଇମାଳ |
ବାଲ୍ୟକାଳେ ଖେଳେସେ ସାଙ୍ଗସାଥୀ ମେଳରେ ,
ଖେଳେ ସେ ପୁଣି ଘର ଅଗଣା, ଦାଣ୍ଡ ଧୂଳିରେ |
ବାଲ୍ୟରୁ ଯେବେ କିଶୋର ହୋଇ ଖେଳଇ ଖେଳ,
ଖେଳ ନିୟମ ମାନି ଗଢ଼ଇ ଖେଳିବା ଦଳ |
ଏହି ସମୟେ କବାଡି, ବାଗୁଡ଼ି, ଫୁଟବଲ,
ତାସହ ବାଡମିଣ୍ଟନ, ହାଇଜମ୍ପ ଆଉ ଲମ୍ବ ଦୌଡ଼ |
ଏତିକି ବେଳେ ଯୁବା ବୟସ ପହଞ୍ଚିଯାଏ,
କ୍ରିକେଟ ସହ ଭଲିବଲ, ଟେନିସ ସେ ଜାଣିଥାଏ |
ଖେଳକୁ ନେଇ ହୁଏ ବିଭିନ୍ନ ପ୍ରତିଯୋଗିତା,
ଭଲ ଖେଳାଳୀ ବିଜୟୀ ହୋଇ ବଢାଏ ଗାଥା |
ଖେଳ ଆମର ଶରୀର ପାଇଁ ନିହାତି ଲୋଡ଼ା,
ଖେଳିବା ବେଳେ ଖେଳିଣ ପଢିବା ବେଳେ ପଢା |
ଖେଳିବାଦ୍ବାରା ସୁସ୍ଥ ରହେ ଆମଶରୀର,
କିନ୍ତୁ ଖେଳଟା ନିଶ୍ଚେ ଶାରୀରିକ ହେବା ଦରକାର |
ଖେଳଦ୍ୱାରା ହୁଏ ରକ୍ତର ସୁସଂଚାଳନ,
ନିୟମ ମାନି ନିୟମିତ ଖେଳରେ ଦିଅ ଧ୍ୟାନ |
କୁସଂଗତରେ କୁଖେଳ ଯୋଗୁଁ ହୁଅଇ ହାନି,
ଜୁଆଖେଳ ଓ ପବଜି ଖେଳ ମୋଵାଇଲ ଆଣି |
ଖେଳ ଅଟଇ ପ୍ରମୋଦପୂର୍ଣ୍ଣ କର୍ମ ଆମର,
ଆନନ୍ଦମିଳେ, ସତେଜମନ ସୁସ୍ଥ ଶରୀର |
