କେମିତିଆ ବାହାଘର
କେମିତିଆ ବାହାଘର
ବଡ଼ ଚକିତ ହୁଏ ମନ ,ବିଚଳିତ ଦେଖି ନୂଆ ପ୍ରଥା ,
ମାତିଲେଣି ସବୁ ଆପଣା କରିବେ ,ରଚିବେ ନୂଆ କଥା |
ବାଜା ବାଜିବନି ,ଅନୁକୂଳ ନାହିଁ ,ନଥିବେ କେହି ବରଯାତ୍ରୀ ,
ବରଣୀ ନହୋଇ ବେଦିକୁ ଯିବନି ,ଏବେ ଏହି ରିତି |
ମଙ୍ଗୁଳା ନହୋଇ ନେବନି ମଙ୍ଗଳାଙ୍କ ଆଶିଷ ସେହି କନ୍ୟା ,
ବିନା ହୁଳହୁଳି , ଶଙ୍ଖ, ମହୁରୀରେ ବାହାହେବ,ତାକୁ ଅନା |
ସାଇ ପଡିଶା ଅବା ବଢ଼ୁ ବାନ୍ଧବ ଯେତେ ଥିବେ ,
କିଛି କରିବେନି ,କିଛି ଦେଖିବେନି ,ତୁନି ହୋଇ ରହିବେ |
ବର କନ୍ୟା ଦୁହେଁ କିଏ କେଉଁଠାରେ ,କେହି ନଜାଣଇ ,
ବାହା ହୋଇଯିବେ ଅନଲାଇନରେ ଖାଲି ,କେତେ ଅଡୁଆ ଲାଗଇ ?
ବେଦି ବନ୍ଦାପନା ,ହୋମ ଆଦି କର୍ମ ହେବ ନାହିଁ ,
ଖାଲି ଅଡିଓ ଭିଡ଼ିଓ ସବୁ କରିଦେବ ,ଦେଖୁଥିବୁ ଚାହିଁ |
ଶଳା ଶାଳି ଆଉ ଶାଶୁ ଶ୍ୱଶୁର ନପାରିବେ ଛୁଇଁ ,
ଚିହ୍ନ ପରିଚ ହେବାକୁ ଏବେ କାହାର ବେଳ ନାହିଁ |
ହାତଗଣ୍ଠି ଆଉ ବେଦିରେ ସେଇ ସାତଫେର ହେବ ନାହିଁ ,
ଖାଲି ଅଡିଓ ଭିଡ଼ିଓ ମାଧ୍ୟମରେ ,ହେବେ କୁହା କୁହି |
କଉଡ଼ି ଖେଳର କଥା ନଜାଣିବେ ,ସିଏ ହେବ ନାହିଁ ,
ବିନା ପ୍ରତ୍ୟକ୍ଷ ଦର୍ଶନରେ ,ହେବେ ପତି ପତ୍ନୀ ସେହି |
ହେବନାହିଁ କନ୍ୟା ବିଦା ,ତାକୁ କେହି ଝୁରିବେ ନାହିଁ ,
କେଜାଣି କେବେ କେମିତି ବର ତାକୁ ଯିବ ନେଇ ?
ଇଏ ସତ ବାହାଘର ଅବା ମିଛି ମିଛିକା ଖେଳ ,
ଏବେ କହିବାକୁ ଲାଗେ ଲାଜ ,ହୋଇଛି ତାହାର ବେଳ |
କେମିତିଆ ବାହାଘର ଅଟେ ସତ ?ମାନେନା କିଛି ରିତି ,
ସମୟର ବାହାନା ଦେଇ ,ଚାଲିଛି ଏବେ ନୂଆ ନୀତି |
କେହି ଜାଣିବେନି ,କେହି ମିଶିବେନି,ଏହା କେମିତିଆ ବାହାଘର
ପ୍ରଶ୍ନ ଉଠେ ଏବେ ,ଏମାନେ କେମିତି ଗଢିବେ ସଂସାର ।
ସେଥିପାଇଁ ଆଜି ହଟହଟା ହୁଅନ୍ତି କେତେ ଅବଳା ନାରୀ ,
କେମିତିଆ ବାହାଘର ଇଏ ? ଦେଉଛି ତାଙ୍କ ଜୀବନ ସାରି |
ମିଠା ମିଠା କଥାରେ ଭାସି ,କରନ୍ତି ଅନଲାଇନର ବ୍ୟବହାର ,
କିନ୍ତୁ ସ୍ବପ୍ନ ଭାଙ୍ଗି ଯାଏ ,ଯନ୍ତ୍ରଣା ଦିଏ ,କେମିତିଆ ବାହାଘର ।
ଯନ୍ତ୍ରଣା ପାଆନ୍ତି ମାୟାରେ ପଡି ,ଜୀବନ ହୁଏ ଛାରଖାର ,
ଏହା କେମିତିଆ ବାହାଘର ?ଯିଏ ମାନେନାହିଁ ସଂସ୍କାର ।
