କେହି ରହିନାହିଁ
କେହି ରହିନାହିଁ
ବିଚିତ୍ର ଚିତ୍ର ୟେ ଭବରଙ୍ଗ ଭୂମି ବିଚିତ୍ର ଜୀବନ ଖେଳ
ନିଜ ନିଜ ଅଭିନୟ ସରିଗଲେ ଡାକିନେବ ଆସି କାଳ
ଜନ୍ମ ପରେ ମୃତ୍ୟୁ ନିଶ୍ଚୟ ଆସିବ ଉପଗତ ହେଲେ ବେଳ
କେହି ରହିନାହିଁ ରହିବେ ନାହିଁଟି ଏହି ବିଧାନ ବିଧିର ।।
ମରଣ ନଜାଣେ କଞ୍ଚା କି ପାଚିଲା ନଜାଣେ ବାଳୁତ ବୃଦ୍ଧ
ପ୍ରାଣ ଛାଡି ଗଲେ ଆସି ନେବେଧରି ମହାକାଳ ଯମ ଦୂତ
ଉଡିଯିବ ସୁନାଶୁଆ ୟେ ଦେହରୁ ପଡିଥିବ ମାଟିଘଟ
ମିଶିଯିବ ଦେହ ପଞ୍ଚ ଉପାଦାନେ ତୋ ଶରୀର ପଞ୍ଚଭୂତ ।।
ଅଢେ଼ଇ ଦିନକୁ ଏତେ ତୋ ବଡେଇ ତୁଛା ମାନ ଅଭିମାନ
ସବୁଜାଣି ଶୁଣି ଅଜଣା ପଣରେ ହରାଉ ତୋ ଦିବ୍ୟଜ୍ଞାନ
ତୋପାସରେ ଦିବ୍ୟଜ୍ଞାନ ଅଛି ତେଣୁ ତୁ ଯେ ଅମୃତ ସନ୍ତାନ
ଯେତେଦିନ ଏଇ ସଂସାର ରେ ଅଛୁ ଛାଡ ଅସହିଷ୍ଣୁ ପଣ ।।
ଜୀବ ଚାଲିଯିବ ନାମ ରହିଯିବ ମରି ତୁ ଅମର ହେବୁ
ସତକର୍ମ ବଳେ କବି କହେ ତୁରେ ମୃତ୍ୟୁଞ୍ଜୟୀ ହୋଇଯିବୁ ।।