କେବେ ପଚାରି ନ ଥିବା ପ୍ରଶ୍ନ
କେବେ ପଚାରି ନ ଥିବା ପ୍ରଶ୍ନ
ଜୀବନର ଅପରାହ୍ନ ଛାଇରେ
ଠିଆ ହୋଇ
ମନରେ ଉଠୁଛି ଅନେକ ପ୍ରଶ୍ନ
ଯାହା କେବେ ପଚାରି ବି ନାହିଁ ।
ହଁ,
ଏବେ ମୋ ପାରିଲା ପଣିଆ ମାନେ
ଦିଗ୍ ଭ୍ରାନ୍ତ ହେଲେଣି _
କାନ ହରାଇ ବସିଲାଣି ତା ଶକ୍ତି
ଆଖି ମଧ୍ୟ ଝାପ୍ସା ହେଲେଣି
ଏମିତି ସମୟେ ତୁ ମୋତେ
ଘରୁ କାଢି ଦେବୁନି ତ ?
ମୋ ହସ୍ତାକ୍ଷର ର ଦସ୍ତାବିଜ୍
ତୋତେ ଦେଇ ଦେଲା ପରେ
ମୁଁ ତୋ ପାଖେ ଅଚିହ୍ନା
ହୋଇ ଯିବିନି ତ ?
ମୋ ଜୀବନର ଶେଷ ଅଙ୍କେ
ଯେବେ ମନ ଏଣୁ ତେଣୁ କୁହେ
ତାକୁ ଶୁଣିବାକୁ ତୁ ପାଖରେ ଥିବୁ ତ ?
ହାତ ପାଦ ଅଚଳ ହୋଇ
ବେସାହାରା ହେଲେ
ତୋ ସାହାରା ମୋତେ ମିଳିବ ତ ?
ଶେଜରେ ପଡ଼ି ଯଦି
ଛଟ ପଟ ହୁଏ
ଶେଜ ପାଖେ ବସି ଟିକିଏ
ମୋ ମୁଣ୍ଡରେ ହାତ ରଖି
ସ୍ନେହ ବୋଳା ଆଶ୍ଳେଷ ଦେବୁ
ନା
ଅଣଦେଖା କରି ଚାଲିଯିବୁ ?
ଶେଜରେ ମୁଁ ପଡ଼ି ପଡ଼ି
ପୂତ୍ତି ଗନ୍ଧ ହେଲେ
ନାକେ ହାତ ଦେଇ
ଅଣଦେଖା କରି ଚାଲିଯିବୁନି ତ ?
ଜୀବନର ସମସ୍ତ ଚରମ ସତ୍ୟକୁ
ଆପଣେଇ ନେବାବେଳେ
ମୋତେ ଟିକିଏ ସମୟ
ଦେଇ ପାରିବୁତ ?
ନା,
ହିସାବ ନିକାଶ କରି
ବେସାହାରା କରି ବିଦା କରିଦେବୁ ?
