ଫମ୍ପା ମାଠିଆ
ଫମ୍ପା ମାଠିଆ
କୁମ୍ଭକାର ଚ଼କ୍ରେ ଗଢ଼ି ହୋଇ ସିଏ
ଦୁନିଆକୁ ବୁକୁରେ ଖେଳେ
ଜୀବନ ଆରମ୍ଭୁ ଶେଷ ପରିଜନ୍ତେ
ଜୀବନ ସାଥୀରେ ମେଳେ ।
ସ୍ରଷ୍ଟା ତା କୁମ୍ଭାର ଫମ୍ପା ମାଠିଆକୁ
ସଭିଙ୍କ ମେଳରେ ଥୁଏ
ବ୍ୟବହାର କଥା ଗ୍ରାହକ ଜାଣଇ
ଜୀବନ ର ତତ୍ତ୍ୱ କୁହେ।
ଫମ୍ଫା ମାଠିଆ ର ଶବଦ ତ ବେଶୀ
ପାଣି ଥିଲେ ଯେ ଗମ୍ଭୀର
ମନ ମାଠିଆ ରେ ଜ୍ଞାନ ଭରା ଥିଲେ
ବ୍ୟକ୍ତିତ୍ଵ ହୁଏ ସୁନ୍ଦର ।
ପୂର୍ଣ୍ଣକୁମ୍ଭ କରି ସ୍ରଷ୍ଟା ଛାଡ଼ିଛନ୍ତି
ମନ ମାଠିଆ କୁ ଦେଇ
ସ୍ନେହ, ପ୍ରେମ, ଦୟା, କ୍ଷମା ଗୁଣେ ପରା
ମାଠିଆ ଦେବା ପୁରାଇ ।
ଗୁଣୀ ଜ୍ଞାନୀ କେବେ ପ୍ରଚାର କରେନି
ନିଜର ଗୁଣ ଗାରିମା
ତାର ସଦଗୁଣ ତାହାକୁ ଚିହ୍ନାଏ
ବଢ଼ଇ ତାର ମହିମା ।
ଫମ୍ପା ମାଠିଆର ରୁଢ଼ି ଟି ଆମର
ବାସ୍ତବ ତତ୍ତ୍ଵ ବଖାଣେ
ଶୂନ୍ୟ ମାଠିଆ ର ଶବଦ ବିସ୍ଫୋଟ
ଅହଂକାରେ ଜ୍ଞାନୀ ମଣେ ।
ମାଠିଆର ଜଳ ରହେ ସୁଶୀତଳ
ଏହା ତାର ମୂଳ ଗୁଣ
ସୁଶୀତଳ ଜଳ ତୃଷା ନିବାରଣ
ତତ୍ତ୍ଵରେ ଅଟେ ନିପୁଣ ।
ମଣିଷ ଜୀବନ ଆତ୍ମା ପୁଣ୍ୟମୟ
ପଞ୍ଚତତ୍ତ୍ଵେ ଗଢା ଦେହ
ପଞ୍ଚମହାଭୂତ ସୃଷ୍ଟିର ଆଧାର
ଜୀବନ ନୁହଁଇ ମୋହ ।
ଶୂନ୍ୟ କୁମ୍ଭ ଭଳି ଶବଦ ଭାସଇ
ସମାଜେ ପ୍ରତି ପଦରେ
ଫମ୍ପା ଆବାଜରେ ଧରା ବିକମ୍ପିତ
ବାସ୍ତବତା ପଥ ହାରେ ।
ଏ ମନ ମାଠିଆ ସ୍ରଷ୍ଟା ଙ୍କର ଦାନ
ଆତ୍ମା ପ୍ରେମର ମନ୍ଦିର
ମନ ମାଠିଆର ସୁଶୀତଳ ଜଳେ
ତୃଷା କରି ଯିବା ଦୂର ।
ପୁଣ୍ୟର କୁମ୍ଭରେ ଅସୂୟା ନଭରି
ଦୟା, କ୍ଷମା, ଭରି ଯିବା
ଆତ୍ମା ର ଡାକରେ ପାଦ ବଢାଇବା
ଶାନ୍ତି ନିଳୟ ଗଢିବା |
ଅନ୍ୟାୟ ବର୍ଜନ ଫମ୍ପା ତରଜନ
ଚିହ୍ନିବା ଠାଣିର ବାଣୀ
ଜୀବନକୁ ଦେବା ସାକାର ଭାବନା
ହସିବ ଜୀବନ ପୁଣି |
ଆଶାନ୍ତ ଝଡ଼କୁ ମାନବିକ ଗୁଣେ
ସାମ୍ନା କରିବା ଶିଖିବା
ଫମ୍ପା ବାହୁସ୍ଫୋଟେ ମୋହିତ ନହୋଇ
ସତ୍ ଚରିତ୍ରକୁ ଚିହ୍ନିବା |
ଜୀବନ କଳସେ ଭରି ଦେବା ଆମେ
ଶାନ୍ତି ମନ୍ଦିର ନୈବେଦ୍ୟ
ସ୍ରଷ୍ଟା ସୃଷ୍ଟି ଦେଖି ମୋହିତ ହୋଇବେ
ହେବ ଅନୁଭବ ଦିବ୍ୟ |
ଜୀବନ ଆଧାର ବିବେକ ବିଚ଼ାର
ମନ ତା ଦିବ୍ୟ ଚାଳକ
ମନେ ଭରି ଦେଇ ଅମୃତ ଚେତନା
ରଖିବା ସ୍ରଷ୍ଟାଙ୍କ ଟେକ ।,
