ଅଷ୍ଟ ଚିରଞ୍ଜିବୀ
ଅଷ୍ଟ ଚିରଞ୍ଜିବୀ
ଆମରି ଶାସ୍ତ୍ରର ଅପୂର୍ବ ମହକ
ଅପୂର୍ବ ତାହାର ଗାଥା
ସେ ଶାସ୍ତ୍ର ପୁରାଣ ମଣିଷ ଜୀବନେ
ଦିଅଇ ଜୀବନ ବାର୍ତ୍ତା । ୧
ଆମ ଶାସ୍ତ୍ର ଆମ ପୁରାଣ ପୃଷ୍ଠାରେ
ଅଷ୍ଟ ଚିରଞ୍ଜିବୀ କଥା
ତାଙ୍କ ଚରିତ୍ରରେ ପୁରାଣ ପଖଳା
ସଂଦେଶରେ ସଦା ଛନ୍ଦା । ୨
ଅଷ୍ଟ ଚିରଞ୍ଜିବୀ ଆଠଟି ଚରିତ୍ର
ବିଭୀଷଣ, ହନୁମାନ
ବଳି,ପର୍ଶୁରାମ, ବେଦବ୍ୟାସ ମୁନି
ଅଶ୍ୱତ୍ଥମା ବଳବାନ ।୩
କୃପାଚାର୍ଯ୍ୟ ପୁଣି ମାର୍କଣ୍ଡେୟ ଋଷି
ଚିରଞ୍ଜିବୀ ଯୁଗେ ଯୁଗେ
କେବେ ଅଭିଶାପ କେବେ ବରପ୍ରାପ୍ତ
ଦିବ୍ୟ ନାମ ନେଲେ ସଙ୍ଗେ ।୪
ଶୌର୍ଯ୍ୟର କିରୀଟ ମଣ୍ଡି ହନୁମନ୍ତ
ଶ୍ରୀରାମ ଦାସ ହୋଇଲେ
ସମର୍ପଣ ଭାବ ଆକାଶ ଛୁଆଁ ଯେ
ଭକ୍ତିରେ ହୃଦୟ ଡୋଲେ ।୫
ସେବା, ସାହସର ଧରୋହର ସିଏ
ଭକ୍ତି, ଶ୍ରଦ୍ଧାର କଲ୍ଲୋଳ
ପ୍ରଭୁ ଶ୍ରୀରାମଙ୍କ ବରଦାନେ ସିଏ
ହେଲେ ଚିରଞ୍ଜିବୀ ଶୈଳ ।୬
ବିଭୀଷଣ ସିଏ ନ୍ୟାୟର ପ୍ରବର
ଅନ୍ୟାୟ ପାଇଁ କଠୋର
ନ୍ୟାୟ, ଧର୍ମ ପଥ ଇଶ୍ଵର ବିଶ୍ୱାସ
ପୁରାଣେ ହେଲେ ଅମର ।୭
ପର୍ଶୁରାମ ବୀର ଧରମ ପ୍ରବର
ଅନ୍ୟାୟ ସଂହାର କଲେ
ପାପ ନାଶ ପାଇଁ ପ୍ରଚେଷ୍ଟା ତାଙ୍କର
ନ୍ୟାୟ ସ୍ଥାପନା ରଚ଼ିଲେ । ୮
ତାଙ୍କ ଶୌର୍ଯ୍ୟ ତାଙ୍କ ନୀତି ପରାକାଷ୍ଠା
ସତ୍ୟ, ଶିକ୍ଷା ଦାତା ବୀର
ଚିରଞ୍ଜିବୀ ମଧ୍ୟେ ନାମ ଲେଖା ହେଲା
ହୋଇଗଲେ ସେ ଅମର ।୯
ଜ୍ଞାନର ଆଲୋକ ଜଗତକୁ ଦେଲେ
ବ୍ୟାସ ମୁନି ଜ୍ଞାନୀ ଶ୍ରେଷ୍ଠ
ବେଦ ପୁରାଣ ଯେ ଶିକ୍ଷା ସ୍ରୋତେ ଭରି
ସମାଜକୁ କଲେ ପୁଷ୍ଟ ।୧୦
ଜ୍ଞାନ ପାଇଁ ବ୍ୟାସ ଚିର ଜ୍ୟୋତିର୍ମୟ
ଚିରଞ୍ଜିବୀ ହୋଇଗଲେ
ଆମ ସଂସ୍କୃତିକୁ ପରିପୁଷ୍ଟ କରି
ଚିର ଅମର ହୋଇଲେ । ୧୧
ଅଶ୍ଵତ୍ଥମା ବୀର ଯୁଦ୍ଧ ନୈପୁଣ୍ୟତା
ଭୁଲ୍ ପାଇଁ କୃଷ୍ଣ ଶାପ
ଦୋଷ ବନ୍ଧିତ ସେ ଯନ୍ତ୍ରଣାରେ ସିକ୍ତ
ପୃଥିବୀ ଘୁରିବା ଚାପ ।୧୨
ତାଙ୍କ ଅମରତା ଚେତାବନୀ ଦିଏ
ଜୀବନର ମହାସୁର
ଚିରଞ୍ଜିବୀ ସିନା ଯନ୍ତ୍ରଣାରେ ଦଗ୍ଧ
କଥା ତାଙ୍କ ଜୀବନର ।୧୩
ବଳି ରାଜାଙ୍କର ଦାନ ଦେବା ନିଶା
ପ୍ରଭୁଙ୍କ ବାମନ ରୂପ
ପାତାଳ ଗମିଣ ହେଲେ ଚିରଞ୍ଜିବୀ
ଦାନ ଗୁଣୋର୍ଜିତ ଭୂପ । ୧୪
ମାର୍କଣ୍ଡେୟ ଋଷି ଶିବ ଅନୁରକ୍ତି
ମୃତ୍ୟୁ ମୁକ୍ତ ବରଦାନ
ଶିବ ପ୍ରସନ୍ନତା ଭରିଲା ଆନନ୍ଦ
ଚିରଞ୍ଜିବୀ ହେଲେ ଜାଣ ।୧୫
କୃପାଚାର୍ଯ୍ୟ ସନ୍ଥ ପାଣ୍ଡବ ଗ୍ରହତା
ଧର୍ମ ଶିକ୍ଷା ସ୍ରୋତେ ଭରା
ସତ୍ୟ, ଶୌର୍ଯ୍ୟ,ନୀତି, ଜ୍ଞାନର ପ୍ରଗତି
ସମ୍ମାନେ ଅମର ପରା |୧୬
ଅଷ୍ଟ ଚିରଞ୍ଜିବୀ ଜୀବନର ବାର୍ତ୍ତା
ଶିକ୍ଷାର ମୁକୁତା ରାଶି
ଶାସ୍ତ୍ର ପୁରାଣର ସମୁଦ୍ର ଗର୍ଭରେ
ଅଷ୍ଟ ଶିକ୍ଷା ରତ୍ନ ଶଶୀ । ୧୭
