କବିଟିଏ
କବିଟିଏ
କବିତାର ନାଁ ରେ
ଭାବନା ଧାରେ ଧାରେ ବହିଯାଏ
ନିଜ ଚେତନା ଆଧାରରେ
ନିଜ ବିସ୍ତାରିତ ବେଦନାକୁ
ହୃଦୟରେ ଭିତ୍ତି କରି ।
ମୁଁ କବୟିତ୍ରୀ ନିଜକୁ ଭାବିବାର
ଧୃଷ୍ଟତା କରେନି
କବିତା ରଚିବା ସତେକି
ନିଜକୁ ବିଛେଇ ନିଜ ଭାବର
ଭଦ୍ରକୁମ୍ଭ ସ୍ଥାପନ ହିଁ କରେ ।
ମୁଁ ସ୍ରଷ୍ଟା ବି ନିଜକୁ ଭାବେନି
ଶୈଳବିତ ଶିଳା ଖଣ୍ଡିଏ ମାତ୍ର
କେବେ ଶୋକସନ୍ତପ୍ତ
କେବେ ପୁଣି ଶୋକାଭିଭୂତ
ନିଜକୁ ହଜେଇ ।
ମୁଁ ଲେଖନୀରେ ଶୋଭନତା ଭରେ
ସମାର୍ଜିତ ସମାଦାର ଶବ୍ଦସବୁ
ସମ୍ମିଳିତ ହୁଅନ୍ତି ଗୋଟେ
ସ୍ମିତହସ ଅଧରରେ ଭରି
କବିତାର
କଲ୍ଲୋଳିତ କବରୀ ହୋଇ ।
କବିତା ତୁମେ ସତେ ସ୍ୱତଃ ସଦ୍ୟଜାତ
ଭାବନାର ଯନ୍ତ୍ରଣାରୁ ଗର୍ଭଗତ କଷଣରୁ
ନା ବୀଣାପାଣିଙ୍କ ମୂର୍ଚ୍ଛନାରୁ ଆଗତ ।
ପ୍ରତିଦିନ ଏନ୍ତୁଡ଼ିଶାଳରୁ ତୁମ ସ୍ୱାଗତ
ପ୍ରତିଟି ଧ୍ୱଂସାବଶେଷରୁ ତୁମେ ଉଦ୍ରୁତ
ଧୀରେଧୀରେ ବଢ଼ିଚାଲ ହୋଇ ଯେ ଉନ୍ମୁକ୍ତ ।
ନିଜ କ୍ଷେତ୍ର ନିଜେ କର ବିସ୍ତାରଣ
ଏକ ବିଶାଳ ଚିତ୍ରଭୂମିରେ ସତେ
ଏଠି ଘୁରିବୁଲେ ଶବ୍ଦ ନେଇ ପଟୁଆର ।
ଉଙ୍କିମାରେ ନିରେଖି ଅର୍ଥ ଓ ଅର୍ଥାନ୍ତର
ସ୍ଥାନ କାଳ ପାତ୍ର ସବୁ ଏକାକାର
ମୁଁ ଏକ ନିମିତ୍ତ ମାତର ।
ତୁମ ସତ୍ତାରେ, ଗୁଣଵତ୍ତାରେ
ଭାବନାରେ ସଭିଏଁ ବିଭୋର
ବଞ୍ଚିରୁହ ତୁମେ ସଦା କାଗଜରେ
କାମନା ଏ କଲମଧାରୀ ମା'ର ।