ମୃତ୍ୟୁର ଯାତ୍ରା
ମୃତ୍ୟୁର ଯାତ୍ରା
କିଛି ଜୀବନର ଭେଦକୁ ବୁଝିଲି
କିଛି ଅବୁଝା ରହିଗଲା ବାକି ଯାହା
ସମୟ କଷୁଛି ଅଙ୍କ, ହାତେ ଧରି କଲମ
ପଥ ଯେ ଅଛି କେତେ ଚାଲିବାକୁ ଆହା l
ବେଳାଭୂମିପରେ ନିଜ ନାମ ଲେଖି ଲିଭାଇ
ସାଗର କପଟ କରି ନିଜେ ନିଏ ଧୋଇ
ଦିଗବଳୟ ହାତଠାରି ଡାକେ କେଡେ ଶ୍ରଦ୍ଧାରେ
ଆସୁଛି ଆସୁଛି କହେ ଧୈର୍ଯ୍ୟ ଟିକେ ଧର ରେ l
ସ୍ୱପ୍ନର ମଧୁବନେ କେତେ ଯେ ଭ୍ରମିଲି
ପ୍ରାପ୍ତିର ବାଲିଘର ତୋଳିଲି ଭାଙ୍ଗିଲି
ବୟସର ଧାରେ ଧାରେ ସନ୍ତର୍ପଣେ ଚାଲିଚାଲି
ଆୟୁଷର ଅନ୍ତଃପୁରେ ପଦାର୍ପଣ କଲି l
ଦେଖିଲି ଅପେକ୍ଷାରେ ମହାରଥ ପ୍ରସ୍ତୁତ
ସାରଥୀ ମୋ ବାଟଚାହେଁ ବେଳ ରତରତ
ଶେଷ ପୁଷ୍ପଗୁଛ ନେଇ ବିଦାକି ମାଗିଲି ଯାଇ
ମେଲାଣି ବେଳ ଉଛୁର ହେ ମହାନାୟକ l
ଥକିଲା ଜୀବକୁ କୋଳେ ଯତ୍ନେ ଦିଅ ଶୁଆଇ
ପ୍ରାଣ ଛାଡୁ ଆତ୍ମା ନିଅ ନିଜ ସାଙ୍ଗେ ଗୋସାଈଁ
ଛାର ତନୁ ଭସ୍ମ ଘେନୁ କ୍ଷଣକ ମଧ୍ୟରେ ଭେଟି
ମୃତ୍ୟୁରୁ ମୋକ୍ଷ ଯାଏଁ ଯାତ୍ରା ସମାପ୍ତ ଏଇଠି ll
