କବିତା କି ଫବିତା
କବିତା କି ଫବିତା
ତମେ ଗୋଟେ ପ୍ରଶ୍ନ
ପଚାରିଥିଲ
ମନେ ଅଛି ନା !
ମୁଁ ଭାବୁଛି ବୋଧହୁଏ
ମନେଥିବ ।
ତମେ ପଚାରିଥିଲ
ମୁଁ କବିତା କାହିଁକି ଲେଖେ ?
ଆଉ କାହା ପାଇଁ ?
ତୁମ ପ୍ରଶ୍ନର ଉତ୍ତର
ମୁଁ ଲେଖେ
ବହୁତ କିଛି ଲେଖେ
ଆଡୁ ସାଡୁ ଲେଖେ
ହେଲେ ସେଇଟା କବିତା
କି' ନା ଜାଣିନି,
ହୁଏତ ଫବିତା ହେଇଥିବ
ହେଲେ ମୁଁ ଲେଖେ ।
ହଁ ମୁଁ ଲେଖେ
ଯେତେବେଳେ ଛାତି ଭିତରେ ଥିବା
ମାଂସଳ ପିଣ୍ଡଟି ଖୁବ୍ ଜୋରରେ
ରତରତ ହୁଏ ।
ଅଧିକରୁ ଆହୁରି ଅଧିକ
କୋରିହୁଏ
କିଛି ଶବ୍ଦର ଛୁଆଁରେ ।
ମୁଁ ଲେଖେ
ଯେତେବେଳେ ଗୁମସୁମ୍ ମନ
ମାଟି ପରି ବତୁରି ଯାଏ
ଆଉ କାଗଜ ପରି ନରମି ଯାଏ
ସାତରଙ୍ଗୀ ଭାବନାର
ଶ୍ରାବଣ ଛିଟାରେ ।
ହଁ ମୁଁ ଲେଖେ
ଯେତେବେଳେ ରାତି କୁହୁଳୁ ଥାଏ
ଅନ୍ଧାରର ଚାଦର ଭିତରେ
ଆଉ ମୁଁ ଝାଉଁଳୁ ଥାଏ
ଶବ୍ଦମାନଙ୍କର ଜୀବନ୍ତ ଜୁଇରେ ।
ହଁ ସତରେ ମୁଁ ଲେଖେ
ଯେତେବେଳେ ଅକ୍ଷର ମାନ
ଅଣ୍ଡାଳୁଥାଆନ୍ତି ବାଟ
ଆଉ ମୁଁ ଅକ୍ଷରମାନଙ୍କ ହାତ ।
ମୁଁ ଲେଖେ
ବେଶ୍ କିଛି ଲେଖେ
ଯେତେବେଳେ କିଛି ସ୍ମୃତି
ଧୋଇଯିବାକୁ ଚାହାଁନ୍ତି
କଲମର ତୀକ୍ଷ୍ଣ ମୁନରେ
ଆଉ କିଛି ରହିଯିବାକୁ ଚାହାଁନ୍ତି
କାଗଜର ସଫା ଚଟାଣରେ ।
ମୁଁ ଲେଖେ
କିଛିଙ୍କୁ ଭିଜେଇବା ପାଇଁ
ନିଜକୁ ହଜେଇବା ପାଇଁ
ଯେତେବେଳେ ଭାବନା ତା
ସୀମାକୁ ଭୁଲି
ମୋ ସୀମାରେ ଥକା ମାରୁଥାଏ ।
ଆଉ ଗୋଟେ କଥା
କାହା ପାଇଁ ଲେଖେ
ସେ କଥା ପଚାରନା
ମୋର ତ ଅନେକ ପ୍ରେମିକା
ଯେତେବେଳେ ଯାହାକୁ ଦେଖେ
ସେତେବେଳେ ତା ପାଇଁ ଲେଖେ ।
କଣ ବୁଝିଲ ତ ?
ମୁଁ କାହିଁକି ଲେଖେ ?
ଆଉ କାହା ପାଇଁ ଲେଖେ ?
