*ଶାନ୍ତି*
*ଶାନ୍ତି*
ଶାନ୍ତି ଏମିତି କେଇଟା
ଅକ୍ଷରର ମିଶ୍ରଣ
ଯାହାକୁ କହିଦେଲେ
ଏକ ଭିନ୍ନ ଆତ୍ମତୃପ୍ତି
ଏକ ଅସହଜ ଆବେଗ ଖେଳିଯାଏ
ଏହା କେବଳ ମୋ ମନରେ
ଯେ ହୁଏ ତା ନୁହେଁ
ଏ ତ ବସ୍ତୁବାଦୀ ଦୁନିଆର
ପ୍ରତିଟି ହୃଦୟରେ ସଞ୍ଚାରିତ ହୁଏ ।
କିନ୍ତୁ ବାସ୍ତବରେ
କଣ ସେମିତି କିଛି ଘଟିଥାଏ ?
ବୋଧହୁଏ ନା ।
କାରଣ ଶାନ୍ତି
ନା ବଜାରର ପନ୍ୟଦ୍ରବ୍ୟ
ନା ରାସ୍ତା କଡର ହର୍-ଏକ-ମାଲ୍
ଯାହା ପଇସା ଦେଇ
ନେଇ ହବ
ନା ମନ ଖୁସିର ରଖି ହବ ।
ଶାନ୍ତି ଏତେ ବି ସହଜ ତତ୍ତ୍ୱ ନୁହଁ
ଯେ କାହାକୁ ବୁଝେଇ ହବ
କି ଏକ ସହଜ ଅଙ୍କନ ନୁହଁ
ମନର ସଫା ଫର୍ଦରେ ଆଙ୍କି ହବ ।
ଶାନ୍ତି ତ ଏକ ଜଟିଳ ଉପପାଦ୍ୟ
ଏକ ଅସାଧ୍ୟ ମନ୍ତ୍ର
ଯେ ଜପି ଜାଣିଛି ତା ପାଇଁ
ଉପଭୋଗ୍ୟ ସ୍ତୋତ୍ର
ଆଉ ଯେ ଜପି ଜାଣିନି
ତା ପାଇଁ ଜଟିଳ ସୂତ୍ର ।
ସତରେ କଣ ଶାନ୍ତି
ଏଇ କେଇଟା ବସ୍ତୁର
ଗର୍ଭଗୃହରେ ଦଣ୍ଡାୟମାନ
ଆଉ କିଛିଟା ଦୃଶ୍ୟମାନ ପଦାର୍ଥର
କଣିକାରେ ଜୀବନ୍ତ
ନା କେବେ ନୁହଁ
ସେମିତି ଚିନ୍ତା କରିବା
କେବଳ ବୃଥା ଅହମିକା
ନିରର୍ଥକ ଭାବାବେଗ ।
ସତ କହିବାକୁ ଗଲେ
ଶାନ୍ତି ଗର୍ଭାଶୟର ଜୀବନ୍ତ ଥଳୀରେ
ନିଶ୍ବାସ ପ୍ରଶ୍ବାସ ନେଉଥିବା
ଏକ ଅଦୃଶ୍ୟ ଭୃଣ ।
କଣ ଭାବୁଛନ୍ତି ?
କିଛି ଭୁଲ୍ କହିଲି କି ?
ନା ମିଛ କହିଲି ।
ତେବେ ଭାବନ୍ତୁ ନା
ଭାବିବା ନିହାତି ବିଧେୟ ।
କାରଣ ଶାନ୍ତି ଏମିତି ସାଧାରଣ
ଗୀତ ନୁହଁ
ଯେ ଚାହିଁବ ଗାଇ ଦବ
ଯେ ପାରିବ ଶିଖିଯିବ
ଏ ତ ସଂଗୀତର
ମନୋହର ବର୍ଣ୍ଣମାଳା
ଯାହା ବିନା ଜୀବନ
ଦୁର୍ବିସହ ଅଶାନ୍ତ ।
ଖାଲି ଏତିକି ନୁହଁ
ଶାନ୍ତି ଯେ ଏକ ଲୁବ୍ଧକ ବ୍ୟକ୍ତି
ସେପରି କହିବା ବି ଭୁଲ୍
କାରଣ ଶାନ୍ତି ପଇସାର
ପାଖ ମାଡେନି
କି ତାର ଧାର୍ ଧାରେନି
ପ୍ରକୃତ ପକ୍ଷେ ଶାନ୍ତି
ନଡିଆ ମଧ୍ୟରେ ଥିବା
ସୁମଧୁର,ଶାନ୍ତ,ପବିତ୍ର ଜଳ
ଯାହା ନା ଦେଖି ହୁଏ
ନା ଦେଖେଇ ହୁଏ ।
ପରିଶେଷରେ ଏତିକି କୁହାଯାଇପାରେ
ଶାନ୍ତି ସବୁଠି ଅଛି
ହେଲେ କେଉଁଠି ନାହିଁ ।
ତେଣୁ ବାସ୍ତବରେ
ଶାନ୍ତି ହେଉଛି ନିରୁପଦ୍ରବ ଚିତ
ବା ଚିତର ସ୍ଥାୟୀ ସ୍ଥିରତା
ବା ଅନ୍ୟ ଭାବରେ କହିବାକୁ ଗଲେ
ଶାନ୍ତି ହେଉଛି ଆତ୍ମାର ପ୍ରସନ୍ନତା ।