STORYMIRROR

Bandita Mohanty

Fantasy Others

4  

Bandita Mohanty

Fantasy Others

କବିତା ଗୋ ତୁମେ ଆସ

କବିତା ଗୋ ତୁମେ ଆସ

1 min
370

କବିତା ଗୋ ତୁମେ ଆସ

ଗ୍ରୀଷ୍ମ ଋତୁର ନିଦାଘ କାଳରେ

ଶୀତଳ ସମୀରଣ ନେଇ

ବଉଳ ବାସ୍ନାରେ ଚନ୍ଦନ ସ୍ପର୍ଶରେ

ଲେଖିଦେବି ତୁମକୁ ତତଲା ଚଟାଣ ଉପରେ

ତୁମେ ରହିଯିବ ପାଠକ ପାଖରେ

ଅନୂଢ଼ା କିଶୋରୀ ହୋଇ.....।


କବିତା ଗୋ ତୁମେ ଆସ

ବର୍ଷା ଋତୁରେ ବାଦଲ ଆଡେଇ

ବୋହୂ ରାଣୀ ବେଶ ଧରି

ଲାଜ ଲାଜ ହସ ଧୀର ପବନରେ

ଲେଖିବି ତୁମକୁ ଭିଜା ମାଟିର ଉପରେ

ତୁମେ ରଙ୍ଗେଇବ ପାଠକ ମନକୁ

ସାତ ରଙ୍ଗ ଇନ୍ଦ୍ରଧନୁରେ......।


କବିତା ଗୋ ତୁମେ ଆସ

ଶରତ ଋତୁରେ ନଦୀ କୂଳେ କୂଳେ

ଥିରି ଥିରି ପାଦ ଥାପି

କାଶତଣ୍ଡି ଫୁଲ ମହକେଇ ଯାଏ

ଗାଁ ଗୋହରୀ ବାଟରେ

ଲେଖିଦେବି ତୁମକୁ ନୃତ୍ୟରତ ପବନରେ

ତୁମେ ଛୁଇଁଯିବ ପାଠକ ପ୍ରାଣକୁ

ତୁମ ଶୀତଳ ସ୍ପର୍ଶରେ......।


କବିତା ଗୋ ତୁମେ ଆସ 

ହେମନ୍ତ ଋତୁର ରାଜକୁମାର ପରି

ଅଳସୀ ପାଦରେ କାକର ଉପରେ

ବିଳାସୀ ନୁପୁର ଛନ୍ଦ ଦିଅ ଭରି

ଲେଖିବି ତୁମକୁ ସଦ୍ୟ ସ୍ନାତ ଘାସରେ

ତୁମେ ରହିଯିବ ପାଠକ ପାଖରେ

ରୂପସୀ ଚନ୍ଦ୍ର ଲେଖା ହୋଇ....।


କବିତା ଗୋ ତୁମେ ଆସ

ଶୀତ ରାତିର ଉଷ୍ମ ଆଲିଙ୍ଗନରେ

ପ୍ରଣୟ ସମ୍ବାଦ ନେଇ

କିଛି ପାହାନ୍ତା ଅଳସ ଭିଜା କାକରର

ଜୁଡୁବୁଡୁ ଛାତିଥରା ପ୍ରିୟର ଦେହରେ

ଲେଖିବି ତୁମକୁ ପ୍ରୀତି ପୀୟୂଷ ଦେଇ

ତୁମେ ଭରି ଦେବ ପାଠକ ଓଷ୍ଠଧାରରେ

ଲାସ୍ୟମୟୀ ହାସ୍ୟ ରେଖା ହୋଇ.......।


କବିତା ଗୋ ତୁମେ ଆସ

ଋତୁରାଜ ବସନ୍ତର ପୁଷ୍ପ ସମ୍ଭାର ଧରି

ମଞ୍ଜୁଳ କୋକିଳ କଣ୍ଠେ କବି ହୃଦୟକୁ

ସର୍ବାଙ୍ଗ ସୁରଭିରେ ଦିଅ ଭରି

କବି ମନ ରସିକ ପରାଣ 

ତୁମେ ଚପଳଛନ୍ଦା ଗୋ ରୂପସୀ ରଜନୀଗନ୍ଧା

ଲେଖିବି ତୁମକୁ ସାହିତ୍ୟ ଆକାଶେ

ତୁମେ ଶୁଣାଇବ ପାଠକ କର୍ଣ୍ଣକୁ

ମୂର୍ଚ୍ଛନାର କଳଗୀତି ହୋଇ......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy