STORYMIRROR

Satyabati Swain

Tragedy

3  

Satyabati Swain

Tragedy

କଅଁଳ ମନର ପ୍ରଶ୍ନ

କଅଁଳ ମନର ପ୍ରଶ୍ନ

1 min
126

ଭାଇଟେ ହୋଇଛି ଉଠିପଡ଼ ମାଆ

     ପାହିଲାଣି ରାତି ତୋର

ମୁହଁ ଘୋଡେଇ ଶୋଇଛୁ କିମ୍ପାଇଁ

     ଆଉ କଣ ପାଇଁ ଡର !


ପୁଅ ନ ହୋଇଲେ ବାପା କହୁଥିଲେ

    ଛାଡି ଦେବେ ମାମୁଁଘର

ଜେଜେ ମାଆ ବି ବାପା ସାଥେ ଥାଇ

     କହୁଥିଲେ କଟୁ ଗିର।


କେତେ ରାତି ମାଆ ଲୁହ ତୁ ନିଗାଡି

     ଡରି ମରି ଜୀଇଁ ଥିଲୁ

ତିନି ତିନିଟା ଝିଅ ଜନ୍ମ କରିବାରୁ

     ଗଞ୍ଜଣାକୁ ପିଉ ଥିଲୁ।


ଉଠିପଡ଼ ମାଆ କେତେ ତୁ ଶୋଇଛୁ

    ସକାଳ ଗଲାଣି ହୋଇ

 ମୁଁ ପରା ଉଠି ପଡିଲେଣି ମାଆ ଲୋ

    ଦେବୁ ନାହିଁକି ଖୁଆଇ ? 


ଅନ୍ୟ ଦିନ ପରି କହୁ ନାହୁଁ ତୁ ତ

     ସୁନା ମୋର ବ୍ରସ କର

ଚୁଡା ଗୁଣ୍ଡ ଖୁଆଇ ନେଉନୁ କାଇଁ

     ଅଙ୍ଗନବାଡିର ଘର ?


ଡାକ୍ତର ବାବୁ ମାଆ ଦେହେ ମୁହେଁ

    ଘୋଡାଅ ନାହିଁ ଚଦର

ମୁହଁ ଘୋଡେଇଲେ ଅଣ ନିଃଶ୍ବାସୀ ହୋଇ

     ଯାଏ କୁହେ ମାଆ ମୋର।


କାହିଁକି ସମସ୍ତେ ଏତେ ଚୁପ୍ ଅଛ

    ହୋଇଛି ବା ତୁମ ପୁଅ ?

 କୁଳ ଉଜ୍ଜ୍ୱଳ କରିବ ସେ ତୁମର

    ଆଉ କେଉଁ ପାଇଁ ଭୟ ?


ତୋ ସହିତ ମୋତେ ଶୁଆଇ ଦେ ମା

     ଏଠାରେ ରହିବି ନାହିଁ

ଏଇ ପୃଥୀବିଟା ଭାରି କଦାକାର

     ପୁଅ ପ୍ରେମୀ ଏ ମହୀ।

      

 ସାକ୍ଷୀ ଅଛି ମୋର ଏଇ ପିଲା ମନ

    କେତେ ଦୁଃଖ ସହିଛୁ ତୁ

 କାଲି କଣ ପୁଅ ଜନ୍ମ ନ କରିଲେ

     ତୋପରି ହୋଇବି ମୁଁ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy