STORYMIRROR

Sasmita Choudhury

Fantasy Others

4  

Sasmita Choudhury

Fantasy Others

କାନି

କାନି

1 min
509


ତା'ର ଉଡିଯାଉଥିବା କାନିରେ

କିଏ ଫଗୁଣର ସ୍ବପ୍ନ ଦେଖି 

ବିଭୋର ହୋଇଛି, 

ତା' ପଣତ କାନିରେ

କିଏ ଦୋଳି ଖେଳୁ ଖେଳୁ 

ନିଜ ଭିତରର

ଅସ୍ତିତ୍ବକୁ ଅବବୋଧ କରି

ଆଗାମୀର 

ସୁନେଲି ଆଭାରେ 

ଉକୁଟି ଉଠିଛି।


ତା' କାନିର ନିରାପତ୍ତା,

ଶୀତଳ ଆଭରଣ ତଳେ

ବିତିଛି କାହାର 

ନିର୍ଭୟ,ଅଭୁଲା ମୁହୂର୍ତ୍ତ, 

ତା' କାନି ପୋଛିଛି କେତେ

ଥକ୍କା ଦେହ,

ଲହୁ,ଲୁହ,ସ୍ବେଦ ...

ଓଦା ମୁହଁ ,ହାତ ।


ତା' କାନିର ଅବଗୁଣ୍ଠନ-

ସାଇତିଛି -

ଅକୁହା ପ୍ରେମର ସେ

ଅମୂଲ୍ୟ ସଂପତ୍ତି, 

କେବେ ସେ 

ପାଲଟି ଯାଇଛି 

ବାତ୍ସଲ୍ୟରେ ଭରା..

ଗହମ ନିଦର ଆବାହନ ଲାଗି

କୋମଳ ସୁପାତି।


କେବେ କାହା 

ମନ ଆକାଶର 

ମେଘ ବୁକେ ତୋଳିଛି ସେ

ସୌଦାମିନୀ ଦ୍ବିତୀ,

କେବେ ସେଇ କାନି ନିଜେ

ଭିଜିଛି ଗୋପନେ ....

ଆପଣେଇ ଯେତେ 

ବୁକୁର ବେଦନା

ଆଉ ନୟନରୁ 

ସଦ୍ଯଝରା ମୋତି।


କାନିରେ ଗଣ୍ଠିଟିଏ ପଡିଗଲେ 

ବିବାହ ମଣ୍ଡପରୁ 

ସ୍ଥିରୀକୃତ ଜୀବନର 

ଇହ ପର ସାଥି,

କାନିର ଗଣ୍ଠିଟିଏ .....

ପ୍ରତିଜ୍ଞାର ପ୍ରଚଳିତ ରୂଢି-

ଲକ୍ଷ୍ୟ ପୂର୍ତ୍ତି ଯାଏ କେବେ 

ନ ଫିଟେ ସେ

ସୁଦୃଢ ଗଣ୍ଠିଟି।


ନିଦକୁ ସଙ୍ଖୁଳି ଆଣୁଥିବା 

ଏଇ କାନି କେବେ ପୁଣି 

ଉଡାଇଛି ନିଦକୁ କାହାର,

ଅତନ୍ଦ୍ର ରଜନୀ କା'ର

ବିତିଛି କେଜାଣି ......

ସ୍ମୃତିରେ ଖେଳିଛି ଯେବେ 

ଅଭିମାନୀ ସେ କାନିର 

ଉଦାସୀ ଲହର।


କାନି କେବେ ଶୋଭା ପାଏ-

ମଥାପରେ,କାନ ଧାରେ-

କୂଳଲକ୍ଷ୍ମୀ ଡିଣ୍ଡିମ ବଜାଇ,

କାନି ଯଦି ଖସି ଯାଏ

ସାଥେ ନେଇ କୂଳ-ଲାଜ

ପାଲଟେ ସେ

ଦୁଇ କୂଳ ଲଙ୍ଘିଥିବା

କୁଳଟା ବା 

ସ୍ବେଚ୍ଛାଚାରୀ ନଈ।


କାନି ସିନା ଆବେଷ୍ଟନୀ

ବେକ ଚଉପାଶେ-

ବୃନ୍ଦାବତୀ ପାଦ ତଳେ

ସୁମନାସ ବେଳେ-

ପ୍ରତ୍ଯୁଷେ, ପ୍ରଦୋଷେ;

କାନି ହିଁ ତ ବନିଯାଏ 

ବେକ ଚଉପାଶେ-

ଅଫିଟା ଫାଶୀ ଗଣ୍ଠିଟିଏ-

ଅଶାନ୍ତି ଓ ଯାତନାର 

ଶେଷ ନିର୍ଯ୍ଯାସେ.....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy