ଅସ୍ତିତ୍ବ
ଅସ୍ତିତ୍ବ
କେମିତି କହିବି
ମୁଁ ଅଛି ବୋଲି?
ନା ଆର୍ତ୍ତନାଦ,
ନା ଦୀର୍ଘଶ୍ବାସ ,
ନା ଆତ୍ମୀୟତାର
ସୁନାରଙ୍ଗୀ ସକାଳ ଆକାଶ;
ନା ଇନ୍ଦ୍ରଧନୁର
ସାତ ରଙ୍ଗ ସମାହାର
ନା ବଂଶୀ ସ୍ବନ ଅବା ମଧୁ ମାସ।
ଏ ସମସ୍ତ
ଉପାଦାନ ଭିତରେ
ମିଳେଇ ଯାଇଥିବା
ଅଣୁ ନୁହେଁ-
ପରମାଣୁଟେ ମୁଁ ...
ଧରି ନିଜ ସଂକ୍ଷିପ୍ତ
ଶୂନ୍ୟ ଅବୟବ,
କେତେ ଦଶନ୍ଧିର
ଦିଗବିଜୟ ଯାତ୍ରା ଶେଷେ
ଅର୍ଜିଥିବା ପାପ ଆଉ
ପୁଣ୍ୟ କୋଥଳିର
କଡାଗଣ୍ଡା ,ସୁଧକଷା
ହିସାବ କିତାବ ।
ମୁଁ ଅଛି ବୋଲି ତ
ବର୍ଷକରେ ଥରେ
ଏତେ ଠାଣି ମାଣି ,
ପିତୃପକ୍ଷ, ପିଣ୍ଡ ଦାନ,
ଆକାଶଦୀପରେ-
ତେଲ ହୋଇ ଜଳୁଥାଅ ତୁମେ
ପ୍ରତି ଯାମ,ପ୍ରତିଟି ମୁହୂର୍ତ୍ତ;
ଏବେ କୁହ
ମୁଁ ଅଛି କି ନା
ତୁମ ସ୍ମୃତିର
ଝାଉଁ ବଣରେ ବିଳପୁଥିବା
ସାଇଁ ସାଇଁ ପବନର
ସାଉଁଳା ହାତ ବଢେଇ
ତୁମକୁ ଟିକିଏ
ଛୁଇଁବାର ଦୁର୍ବାର -
ପ୍ରୟାସଟେ ଜାରି ରଖିଥିବା ....
ମୁଁ ହିଁ ସେ --
"ମୁଁ "ର ଅସ୍ତିତ୍ବ ।