ତଟିନୀର ତୃଷ୍ଣା
ତଟିନୀର ତୃଷ୍ଣା
ଚିତ୍ରିତ-ତୀରା, ସବୁଜିମା ଘେରା,ତେଜି ପର୍ବତ କୋଳ;
ଅର୍ପଣ କରି ବୁକୁର ବାତ୍ସଲ୍ଯ ପ୍ରାଣର ସ୍ବରୂପ ଜଳ।
ନିର୍ଝରିଣୀ ମୁଁ ଚିର ଗତିଶୀଳା ଆଳସ୍ଯ ବର୍ଜନ କରି,
ଧରିତ୍ରୀ ମାତାର ଦେହେ ବିଜଡିତା ଝୀନ ଧବଳ ଉତ୍ତରୀ।
ନୀଳ ମେଘ ରୂପ ବିମ୍ବିତ ମୋ ଦେହେ,କେବେ ରକ୍ତିମ ରବି,
ବୃକ୍ଷ-ପତିତ ପୁଷ୍ପେ ଶୋଭିତା ଆଙ୍କେ ଇନ୍ଦ୍ରଧନୁ ଛବି ।
ଅଙ୍କେ ଆଶ୍ରିତ ଅସୁମାରୀ ମୀନ,ଜଳଚରଙ୍କ ମୁଁ ସାହା,
ଅଣିମା ଅନନ୍ତ ବିଭୁ ଆଶୀଷେ ମୁଁ ଜଗତ କଲ୍ଯାଣୀ ମା।
ସ୍ପର୍ଶ କରି ମୁଁ ଗ୍ରାମ,ପ୍ରାନ୍ତର, କେତେ ଦେଶ, ମରୁସ୍ଥଳୀ,
ସ୍ବକୀୟ ପାଳନ-ସୁଖ ଅନୁଭବେ ସଦା ଉଠୁଥାଏ ଝଳି।
ସର୍ବଂସହା ବୋଲି ଉଦଗାରି ବିଷ ଆବିଳତା ଦେଲ ଭରି,
ନିର୍ମାଣ କରି ଆନିକଟ ମୋତେ ଦେଲ ପଥରୁଦ୍ଧ କରି।
ପ୍ରାଣ-ପ୍ରିୟ ମୋର ମହା ସିନ୍ଧୁ ସହ ମିଳନ ତ ଆଜି ସ୍ବପ୍ନ,
ତୃଷ୍ଣା ଆତୁରା ତଟିନୀଟିଏ ମୁଁ ସଦା ଆବେଶରେ ମଗ୍ନ।