ବାସ୍ତବର ଉର୍ଦ୍ଧରେ
ବାସ୍ତବର ଉର୍ଦ୍ଧରେ
ତୁମେ ନିରାକାର ତୁମେ ହିଁ ସାକାର
ତୁମେ ହିଁ ଜଗତ କର୍ତ୍ତା
ଜଗତର ନାଥ ଆହେ ଜଗନ୍ନାଥ
ତୁମେ ତ ଜୀବନ ଦାତା ।
କାହିଁ କେତେଦୂରେ ତୁମେ ରହିଅଛ
ବାସ୍ତବ ଠାରୁ ଉର୍ଦ୍ଧରେ
କଳାକଳେବର କହ୍ନେଇ ଠାକୁର
ଵିନତୀ ତୋହରି ଠାରେ ।
ଆଉ କେତେଦିନ କାଳିଆ ସାଆନ୍ତ
ବସିଥିବୁ ଦାରୁ ପରି
ତୋ ଚକାନୟନେ ଦେଖିପାରୁ ନାହୁଁ
କାନ୍ଦୁଛି ସତ୍ୟ ଗୁମୁରି ।
ପାପ, ଲୋଭ, ମୋହ ମାୟା କପଟରେ
ଜଗତ ବ୍ୟାକୁଳ ଆଜି
ତାରିବାକୁ ପ୍ରଭୁ ଆସ ମହାବାହୁ
ଚକ୍ର ଧରି ଚକ୍ରଧାରି ।
ଗଙ୍ଗା ପାଲଟିଛି ପାପର ସାଗର
ରକ୍ତର ନଦୀ ବହୁଛି
ଆସ ଥରେ ପ୍ରଭୁ ଏବେ ଅବତରି
କାଳିଆ ଘୋଡାରେ ଚଢି ।
ପଥର ପରି ତୁ ବସିଛୁ ଠାକୁର
ପାପତ ରାଜୁତି କରେ
ଆଉ କେବେ କହ ଆସିବୁ ତୁ ଧରି
ବାର ହାତ ଖଣ୍ଡା କରେ ।
ରତ୍ନ ସିଂହାସନେ ବସି ତୁ କାଳିଆ
ଜଗତ ଦୁଃଖ ହାରୁଛୁ
ଜଗତ ଜନଙ୍କୁ ପାଳୁଛୁ ବୋଲି ତୁ
ମହାବାହୁ ବୋଲାଉଛୁ ।
ବଡ ଦେଉଳରେ ଭାଇ ଭଉଣୀକୁ
ସାଥିରେ କାଳିଆ ନେଇ
ଭୁଲିଗଲୁ ଅବା ପାସୋରି ଦେଲୁ ତୁ
ଚଉଷଠି ଅର୍ଣ୍ଣ ଖାଇ ।
ଦେଉଳୁ ବାହାରି ସିଂହାସନ ଛାଡି
ଥରୁଟିଏ ଯାଆ ବୁଲି
ଦେଖିବୁ କାଳିଆ କାଳ ପାପ ଛାୟା
ବଡଦାଣ୍ଡେ ଖେଳେ ହୋଲି ।
ତୋ ବଡ ଦେଉଳ ଚାରିପାଖେ ତୋର
ଚାରୋଟି ବଡ ଦୁଆର
ଦୁଃଖି ଦୁଃଖ ଅବା ଶୁଭୁନି କାଳିଆ
ହେଲୁକି ଏତେ ନିଷ୍ଠୁର ।।
