କାହିଁ କେତେ ଦୂରେ
କାହିଁ କେତେ ଦୂରେ
କାହିଁ କେତେ ଦୂରେ ରହିଛ ହେ ନାଥ
ଖୋଜୁଛି ଏ ଜନ୍ମେ ନିତି
ଥକି ପଡିଲିଣି ଟେର ବି ପାଉନି
କେଉଁଠି ଲାଗେନା ମତି।
ବଦ୍ରିକା ଯାଇଛି କାଶୀ ବୃନ୍ଦାବନ
ଚାରି ଧାମ ତୀର୍ଥ କରି
ଶେଷରେ ଆସିଲି ନୀଳାଚଳ ଧାମ
ତୀର୍ଥ ସ୍ଥଳ ଆମ ପୁରୀ।
ପାରାବାର କୂଳେ ନିରୋଳା ବସି ମୁଁ
ଦିଗବଳୟକୁ ଚାହିଁ
ସର୍ବତ୍ର ଦେଖିଛି ତୁମରି ମହିମା
ଯାହାର ବର୍ଣ୍ଣନା ନାହିଁ।
ତୁମରି ସତ୍ତାକୁ ଅନୁଭବେ ଆଣି
ବୁଝିଛି ମାତ୍ର ଏତିକି
ତୁମେ ଆସ ପ୍ରଭୁ ମୋ ହୃଦ ମନ୍ଦିରେ
ସଂଜ ସେକାଳରେ ପ୍ରତି।
ଏଇ ଆଶା ନେଇ ବଞ୍ଚୁଛି ମହୀରେ
ପ୍ରଭୁ ମୋ କଳା ସାଆନ୍ତ
ତୁମ ନାମ ମୋର ମୁଖ ରଟୁଥାଉ
ମୋ ଜୀବନ ହେଉ ଅନ୍ତ।
