କାବ୍ୟ ନାୟିକା
କାବ୍ୟ ନାୟିକା
ବାଲ୍ୟକାଳରୁ ଆଜି ଯାଏ
ଧୂଳି ଖେଳ ଠାରୁ
ଘର ସଂସାର ଯାଏ
ତୁମେ ମୋ କାବ୍ୟ ନାୟିକା
ମୋ ମନର ନିଭ୍ରୃତ ଇଲାକାରେ ।
ସାଇତି ରଖିଛି ସ୍ମୁତି ତୁମ
ହୃଦୟର ପ୍ରତିଟି ତନ୍ତ୍ରୀରେ
ଜୀବନ ବୀଣାର ରାଗିଣୀ ରେ
ତୁମେ ହିଁ ତ ମୋର ପ୍ରିୟତମା
ନିଦ୍ରା ସ୍ବପ୍ନ ଜାଗରଣରେ ।
ଆଙ୍କିଛି ଛବି ତୁମ
ଜୀବନର କାନଭାସରେ
ଆବେଗର ତୂଳୀରେ
ଭାବନାର ରଙ୍ଗ ନେଇ
ସଜେଇଛି ଚିତ୍ରପଟ ତୁମ
ମୋ ମନର ଦର୍ପଣରେ ।
ଗଢିଛି ମୂର୍ତ୍ତି ତୁମେ
ମୋ ରକ୍ତ ଆଉ ମାଂସ ରେ
ସଜାଇ ରଖିଛି
ଜୀବନର ସଂଗ୍ରହାଳୟରେ
ଜାଗ୍ରତ ପ୍ରହରୀ ସାଜି
ଜଗିଛି କାଳେ କିଏ ଚୋରେଇ ନେବ ।
ଲେଖିଛି କବିତା ତୁମ
ଭାବନାର ଆବେଗରେ
କାବ୍ୟ ନାୟିକା ତୁମେ
ମୋ ଜୀବନ ଯୋୖବନର
ଚୋରାବାଲି ଧାରେ ।
କାବ୍ୟ ନାୟିକା ହୋଇ
ରହିଗଲ କବିତା ଫର୍ଦରେ
ଭାବିଥିଲି ଜୀବନ ସଙ୍ଗିନୀ ଅର୍ଦ୍ଧାଙ୍ଗିନୀ
ହେଲେ ତୁମେ ମୋ ଠାରୁ
ଅନେକ ଦୂରରେ ।
ଏବେ ବି ଝଙ୍କୃତ ସ୍ବର ତୁମ
ହୃଦୟର ପ୍ରତିଟି
କୋଣ ଅନୁକୋଣରେ
ଭାଗ୍ୟର ବିଡମ୍ବନା
କୂଳକୁ ନ ଛୁଇଁ ଚାଲିଗଲ ତୁମେ
ତରଙ୍ଗାୟିତ ସମୁଦ୍ରର
ନୀଳ ବକ୍ଷ ଧାରେ ।
ଅବଶୋଷ ରହିଗଲା ମନେ
ପାଇଁ ମୁଁ ହରାଇ ଦେଲି
ଦୋଷ କାହାର
ମୋର ନା ଏ ସମୟର
ମଣିଷ କାଳର କରାଳ ଚକ୍ରରେ
କ୍ରୀଡନକ ଟିଏ ।
ତଥାପି ବି ହାର ମାନୁ ନି
ମନ ମୋର ନିଶ୍ଚୟ ଫେରିବ ତୁମେ
ମୋ ସ୍ମୃତିର ସହରରେ
ଯେଉଁଠି ପ୍ରତିଟି କୋଣରେ
ଚିତ୍ରପଟ ତୁମ ହାତ ଠାରି ଡାକୁ ଥିବ
ଆ ଫେରିଆ ମୋ ପାଖରେ ।
