ଜନମ ଭୂଇଁର ନାଆଁ
ଜନମ ଭୂଇଁର ନାଆଁ
ଆମ ଗାଆଁ ବିଲ,ପୋଖରୀ,ପଡିଆ
ଆମ୍ବତୋଟା,ନଈ ପାଟ,
ସଞ୍ଜବେଳେ ବସେ ଜହ୍ନ ଆଲୁଅରେ
ଆମରି ପୁରୁଣା ହାଟ ।
ଆମ ଗାଆଁ ପାଣି ପବନରେ ଅଛି
ସେନେହଁ ମମତା ବାସ
ଆମ ନଈ ବନ୍ଧ ପଡିଆରେ ହସେ
ସବୁଜ କଅଁଳ ଘାସ ।
ଆମ ଗାଆଁ ହସେ ପୁନେଇ ପରବେ
ଝିଅ ବୋହୂଙ୍କର ମେଳି,
ଧୂପ,ଦୀପ,ଝୁଣା,ଘଣ୍ଟ,ଘଣ୍ଟା ନାଦେ
ଶୁଭୁଥାଏ ହୁଳହୁଳି ।
ଆମ ଗାଆଁ କେତେ ସହରଠୁ ଦୂର
ଆଖି ମୋର ପାଏ ନାହିଁ,
ଶୁଭେନି ଶବଦ ମଟର ଗାଡିର
କଳ କାରଖାନା କାହିଁ ।
ଆମ ଗାଆଁ ଦାଣ୍ଡ ଧୂଳିରେ ହଜିଛି
କେତେ ପିଲାଦିନ ବେଳ,
ବାପାଙ୍କର ମାଡ଼ ବୋଉଠାରୁ ଗାଳି
ଯେତେ ସାଙ୍ଗ ସାଥି ଖେଳ।
ଆଉକି ଫେରିଛି ହଜିଲା ଦରବ
ହଜିଗଲେ ଥରେ ବାଟେ
ପାରିହେଲା ପରେ ବୁଲିକି ଚାହିଁଛି
ବାଟୋଇ କି ଆଉ ଘାଟେ ।
ସବୁ ଭୁଲି ହୁଏ କାମ ସରିଗଲେ
ଭୁଲି ହୁଏ ନାହିଁ ଗାଆଁ,
ଭୁଲିଛି କିଏସେ କହିଲ ଜଣିଏ
ଜନମ ଭୂଇଁର ନାଆଁ ।