ଜଳପରୀ ହସି ଦେଲା
ଜଳପରୀ ହସି ଦେଲା
ଜଳପରୀଟିଏ ସୁଖେ ଖେଳୁଥାଏ
ମତ୍ସ୍ୟ କଚ୍ଛପଙ୍କ ସଙ୍ଗେ,
ସାଗର ରାଜାଙ୍କ କନ୍ୟା ଅଟେ ସିଏ
ସଉକ ତା' ନୀଳ ରଙ୍ଗେ ।
ପୋଷାକରେ କେତେ ହୀରା ଲୀଳା ମୋତି
ମାଣିକ୍ୟ ଥାଏଟି ଖଞ୍ଜା,
ଅଳଙ୍କାର ପରେ ଝଟକୁଥାଏ ତ
ତାରା ଫୁଲ ପୁଞ୍ଜା ପୁଞ୍ଜା।
ନାଆଁଟି ତାହାର ଅଟେ ମଣିମାଳା
ଦୟାବତୀ ସ୍ନେହଶୀଳା,
ଜୀବ ମାନଙ୍କୁ ସେ ଭାରି ଭଲପାଏ
ସାଥେ କରେ ଖେଳାବୁଲା ।
ସେଦିନ ଢେଉରେ ଖେଳୁ ଖେଳୁ ସିଏ
ଜଳଚର ଜୀବ ସହ,
ସାଗର କୂଳରେ ଦେଖିଲା କାନ୍ଦୁଛି
ବୁଢ଼ୀଟିଏ ଢାଳି ଲୁହ ।
ପାଖକୁ ଆସିକି ପଚାରି ବୁଝିଲା
ସଂସାରେ ନାହାଁନ୍ତି କିଏ,
ଛାଡ଼ିକରି ସିଏ ସେପାରି ଗଲାଣି
ହାତ ଧରିଥିଲା ଯିଏ ।
ଓଳିଏ ଖାଇଲେ ଦିଓଳି ଉପାସ
ଜଗନ୍ନାଥ ଏକା ସାହା,
ଚଳନ୍ତି ସେଥିରେ କାମ କରି ପଛେ
ମିଳନ୍ତା ଗଣ୍ଡିଏ ଯାହା ।
ଦୁଃଖ ଶୁଣି ତା'ର ମଣିମାଳା ଦେଲା
ଅଳଙ୍କାର ଖୋଲି କିଛି,
ବୁଢ଼ୀଟି କହିଲା, ଭିକାରୁଣି ନୁହେଁ
ପର ଧନେ ଲୋଭ ଛି'ଛି ।
ମୃତ ଶାମୁକା ଓ କଉଡ଼ି ଗୋଟାଇ
ବାଲୁକା ଶଯ୍ୟାରୁ ଝିଅ,
ଶିଖାଇଲା ମୂର୍ତ୍ତି ଲାଖ ଅଠା ଦେଇ
ଖୁଣିବାର କେହି ନୁହଁ ।
ବିକ୍ରିକରି ପର୍ଯ୍ୟଟକଙ୍କୁ କେତୋଟି
ବୁଢୀଟି କଲ୍ୟାଣ କଲା,
'ଅନ୍ୟ ଉପକାର ମୋ କର୍ତ୍ତବ୍ୟ' କହି
ଜଳପରୀ ହସି ଦେଲା ।
