ଝଡ଼
ଝଡ଼
କାହିଁ କେତେ କାଳରୁ
ମୁଁ କରିଥିଲି ଅପେକ୍ଷା,
ବସନ୍ତରୁ ରଙ୍ଗ ମାଗି,
ମନ ଅଗଣାରେ ଆଙ୍କିଥିଲି
ସ୍ମୃତିର ରଙ୍ଗୋଲି ।
ଥିଲା ଅନେକ ବିଶ୍ଵାସ
ତୁମେ ଫେରିବ ବୋଲି ,
ଅଦେଖା ଲୁହକୁ ଛାତି ତଳେ ଚାପି
ଓଠ ହସୁଥିଲା
ଅଭିଶପ୍ତ ଲୋକଦେଖାଣିଆ ହସ ।
ତଥାପି ମୁଁ ରଚୁଥିଲି
ଅଭିସାରର ଶୃଙ୍ଗାର,
ନାଉଥିଲି ଆଖିରେ କଜଳ ,
ଗୋଲାପ ଫୁଲରେ
ମହକାଉଥିଲି ଗଭା ,
ସିନ୍ଥିରେ ଥିଲା ସୁହାଗିନୀର ସିନ୍ଦୂର ।
କେବଳ ତୁମେ ଆସିବ ବୋଲି
ଖୋଲା ରଖିଥିଲି ଦାଣ୍ଡ କବାଟ ,
ଝରକା ପାଖରେ ଜଗିବସୁଥିଲି
ତୁମ ଆସିବା ବାଟକୁ ,
ଏମିତିରେ ଅତିକ୍ରାନ୍ତ ହେଲା ବସନ୍ତ ।
ଭାବିଲି,
ତୁମେ ଫେରିବ ଗ୍ରୀଷ୍ମରେ
କଠୋର ନିଦାଘରେ ବୁଣିଦେବ
ପ୍ରେମର ଶୀତଳତା,
ପୁଣି ଖୋଲା କରିଦେଲି ମନ ଦରଜା,
କିନ୍ତୁ ଏ କ'ଣ ?
ଚାରିଆଡ଼ ଆଜି ନୀରବ, ନିସ୍ତେଜ !
ସତରେ ତୁମେ ଆସୁଛ ବୋଧେ !
ପ୍ରେମ କାଙ୍ଗାଳୀ ହୃଦୟଟା
କାହିଁ ଠଉରେଇ ପାରିଲାନାହିଁ ତ !
ଏ ନୀରବତା ଥିଲା
ଆସନ୍ନ ଝଡ଼ର ପୂର୍ବାଭାଷ ମାତ୍ର,
ତୁମେ ଫେରିଲ ବୈଶାଖରେ
ସାଥିରେ ଆଣିଲ
କାଳ ବୈଶାଖିର କରାଳ ଝଡ଼ ,
କ୍ଷଣକ ମଧ୍ୟରେ
ଧୁଳିସାତ୍ ହୋଇଗଲା
ମୋର ସବୁ ଆଶା, ସବୁ ବିଶ୍ଵାସ ।
ତୁମେ ରଚିଚାଲିଲ
ତୁମ ମନ ମୁତାବକ ତାଣ୍ଡବ ଲୀଳା,
ଖିନଭିନ୍ କରିଦେଲ,
ମୋ ଅନ୍ଧବିଶ୍ଵାସର ଛୋଟିଆ ସଂସାରଟିକୁ ।
ମୋ ଅସ୍ତିମଜ୍ଜାରେ ଭରିଦେଲ
ଭୟର କମ୍ପନ ,
ମୋ ସ୍ନାୟୁତନ୍ତ୍ର ଧିରେ ଧିରେ
ହୋଇଉଠୁଥିଲା ଦୁର୍ବଳ,
ମୋ ସଂସାରରେ ବାଜିଥିଲା
ଏକ ଶକ୍ତ ତଥା
ନୀରବ ଝଡ଼ର ଆଘାତ ,
ଝଡ଼ ଥମିବା ପରେ
ତୁମେ ଫେରିଗଲ ପୁଣି ଥରେ
ତୁମ ରାସ୍ତାରେ ,
ଥିରି ଥିରି କରି ଅଣ୍ଟା ସଳଖିଲି ମୁଁ,
ଭଙ୍ଗା ସେହି
ସିନ୍ଦୂର ଫରୁଆ ଦେଖି ,
ଭାବୁଥିଲି
ଆଉ କ'ଣ ବା ଏହାର ଆବଶ୍ୟକତା ।
