ଜହ୍ନ ରାତି
ଜହ୍ନ ରାତି
ବିଗତ ଦିନର ଅଭୁଲା ସ୍ମୃତିକୁ
ଆଜି ବି ରଖିଛି ସାଇତି ,
ଗୋଟି ଗୋଟି ସବୁ କାନେ କହୁଅଛି
ତୁନି ତୁନି ଜହ୍ନ ରାତି ।
ସେ ଦିନର ସେଇ ନିରୋଳା ମୁହୂର୍ତ୍ତ
ନିରବତା ଭରା ଆକାଶ ,
ପାଖେ ବସିଥିଲା ଲାଜେଇ ପ୍ରେମିକା
ସଜ ହୋଇ ରାଣୀ ବେଶ ।
ଝରି ପଡୁଥିଲା ଅନାବିଳ ପ୍ରେମ
ଆଖିରେ ଅସରା ସପନ ,
ମିଳନ ଆଶାରେ ପ୍ରଣୟ ନିଶାରେ
ଅଥୟ ଅଧିର ମନ ।
କେତେ ରାଗ ରୁଷା ମାନ ଅଭିମାନ
କେତେ ପୁଣି ପ୍ରତିଶ୍ରୁତି ,
ଆମରି ପ୍ରେମର ମୁକ ସାକ୍ଷୀଟିଏ
ଆଜି ଏଇ ଜହ୍ନରାତି ।