ଜହ୍ନ ର ଠିକଣା
ଜହ୍ନ ର ଠିକଣା


ଖୋଜୁଥିଲି ମାଟି
ଆକାଶ ଆଉ ଆକାଶର ସେଇ ଜହ୍ନକୁ
ପୋଲ ତଳେ ସେ ବସ୍ତି ର
ଭୁଗୋଳରେ।
ଭୋକ ଲାଗି ମେଲି ଥିବା
ମାଆ ର ଛିଣ୍ଡା ପଣତକାନିରେ।
ପୁଣି ଦିନେ ପୂର୍ଣ୍ଣମୀ ରେ ଯୋଗୀ ର ଏକତାରା ଭିତରେ।
କେତେବେଳେ କଣା ଚାଳ ରୁ
ପୁଣି କେବେ ନଡ଼ିଆ ଗଛ ଫାଙ୍କ ରୁ
ଆମ ଗାଁ ବିଲ ସରିବା ଯାଏ
ଦିନେ ଜହ୍ନ ଥିଲା
ମୁଁ ଥିଲି
ଆଉ ଥିଲା ଆମ ହାତ ପାପୁଲିର ରେଖା
ସମୟ ଟା ଧୀରେ ଧୀରେ
ଅପ ସରି ଗଲା
କେଉଁ ଏକ ଅଛିଣ୍ଡା ଗଣିତ ପରି।
କିଛି ପ୍ରଶ୍ନ ଲୁହ ରେ ଭିଜୁଥିଲା ଝରକା ସେପଟେ।
ଆଉ କିଛି ଛଡେଇଲା ନିଜ କୁ ନିଜ ଠୁ
ରାତି ସରିବା ଯାଏଁ।