ଝାଞ୍ଜି ବାଆ
ଝାଞ୍ଜି ବାଆ
ସୁରୂଜ ନୁହଁଇ ସତେ ଅଗ୍ନିପିଣ୍ଡ
ରାଜୁତି କରୁଚି ନଭ ମଣ୍ଡଳେ
ଅଗ୍ନି ବରଷୁଛି ଜଳୁଛି ପୃଥିବୀ
କେହି ବି ରାହା ନ ପାଏ ।
ପଥ ପ୍ରାନ୍ତେ କାହିଁ କେହି ଦେଖା ନାହିଁ
ମଉଳା ଗଛର ରୋଗିଣା ଛାଇ
ପଥିକ ବାପୁଡା ବସି ଥକ୍କା ମାରେ
ସ୍ଵେଦ ବିନ୍ଦୁ ତାର ମଥାରୁ ପୋଛି |
ଝାଞ୍ଜି ବାଆ ଟା ତ କେଉଁଠି ଥିଲା ଯେ
ବହି ବାଣ୍ଟୁ ଅଛି କଷଣ ସାରା
ଜଳନ୍ତା ନିଆଁ ଦେହେ ପିଟି ହୁଏ
ଦେହ ସାରା ଖାଲି ଜ୍ବଳନ ପୀଡା |
ପେଟ ପାଇଁ ନାଟ ଶ୍ରମିକ ଖଟଇ
ଝାଞ୍ଜି ବାଆ ଦେଲା ନର୍କ ଯନ୍ତ୍ରଣା
ରକ୍ତ ପାଣି ଫାଟି ସତେ ଅବା ଝରେ
ଅବଶ ଶରୀର ଚଳୁନି ଜମା |
ପବନ ବଦଳେ ଝାଞ୍ଜି ବାଆ ଆସି
ସନ୍ତୁଳି ଦେଉଛି ଦେହ ଓ ମନ
ଜ୍ୱଳନର ପୀଡ଼ା ବଢ଼ାଇ ଦେଉଛି
ଚାରି ଆଡେ ଶୁଭେ ଝିଙ୍କାରୀ ସ୍ୱନ ।
ଆକାଶ ରୁ ନିଆଁ ବରଷା ହେଉଛି
ଦାଣ୍ଡ ଠାରୁ ଘର ସବୁ ଗରମ
ବସିବାର ରାହା ହଜି ଯାଇ ଅଛି
ଝାଞ୍ଜି ବାଆ ଦିଏ ବ୍ୟଥା ଚରମ |
ଝାଞ୍ଜି ବାଆ ଆସି ଦେହ ଘଷି ହୋଇ
ସତେ କି ମାଉଁଶ ଓଟାରି ଟାଣେ
ଜଳନ୍ତା କିରଣ ଝାଞ୍ଜି ବାଆ ମିଶି
ମରଣକୁ କେବେ ଆମନ୍ତ୍ରି ଆଣେ ।
ଜଳନ୍ତା ଜୁଇରେ ମଣିଷ ଜଳୁଛି
ଶବ ହେଲେ ସିନା ଜାଣନ୍ତା ନାହିଁ
ଜୀବନ ଝୁଲୁଛି ଅଗ୍ନି ପିଣ୍ଡୁଳାରେ
ଝାଞ୍ଜି ବାଆ ଆସି ସଙ୍ଗ ଦିଅଇ ।
ଶୀତଳ କୋଠରୀ ଯାହା ଙ୍କର ବାସ
କେତେ ସମୟ ବା ପାରିବେ ରହି
କେତେ ବେଳେ ଅବା ବାହାରେ ଆସିବେ
ଝାଞ୍ଜି ବାଆ ସତେ ବସିଛି ଚାହିଁ ।
ଶୀତ ତାପ ନିୟନ୍ତ୍ରଣ କୋଠରୀ କି
ସବୁ ବେଳେ ଦେଇ ପାରିବ ରାହା
ତାପ ମୁକ୍ତି ପାଇଁ ଚେଷ୍ଟା କରୁ କରୁ
ଶରୀର ହୋଇବ ରୋଗରେ ଭରା |
ଝାଞ୍ଜି ବାଆ ସତେ ଆସୁଛି ଯେମିତି
ବୋଝ ଉପରେ ତ ନଳିତା ବିଡା
ମଣିଷ ବିଚ଼ରା ଛଟ ପଟ ହୁଏ
ଅନ୍ୟ ଜୀବ ଙ୍କର ଅକୁହା ପିଡ଼ା |
ଝାଞ୍ଜି ବାଆ ସତେ ଶପଥ ନେଇଛି
ସତେ କି ନେଉଛି ସେ ପ୍ରତିଶୋଧ
ଜଳନ୍ତା ସ୍ୱରୁଜ ଝଞ୍ଜା ପବନରେ
ମଣିଷ ହୁଅଇ କି ହନ୍ତସନ୍ତ |
ଝାଞ୍ଜି ବାଆ ବହେ ବାଧା କେହି ନାହିଁ
ଗଛ ପତ୍ର ପରା ଲୁପ୍ତ ହେଉଛି
ବିନା ବାଧାରେ ସେ ମାଡ଼ି ଚାଲୁ ଅଛି
ମଣିଷ କି ତାହା ବୁଝି ପାରୁଛି ?